Thursday, 15 February 2018

ଅଧୁରା ପ୍ରେମ...


ଅଧୁରା ପ୍ରେମ... 
ସୁବଳ ମହାପାତ୍ର 

(ବେଳେବେଳେ ଏମିତି ହୁଏ କି କିଛି ବିଷୟ ଉପରେ ଆମେ ଚିନ୍ତା କଲା ବେଳେ କିଛି ପ୍ରଶ୍ନ ଆମ ମନ ଭିତରେ ପଶି ଆସେ ଓ ଆମେ ନିଜେ ନିଜ ସହ କଥା ହୁଅନ୍ତି I ଗଳ୍ପ ଟି ସେମିତି ଏକ ବିଷୟ ବସ୍ତୁ କୁ ନେଇ ଲିଖିତ I ସେଦିନ ସେ ବସି ଭାବୁଥିଲା କିଛି ଦିନ ପୂର୍ବରୁ ଘଟି ଯାଇଥିବା ଘଟଣା ଟିଏ I ଘଟଣା ତ କହି ହେବନି ଦୁର୍ଘଟଣା ଟିଏ...)     

ସେଦିନ ସେ ଆସିଥିଲା ...
କାହିଁକି ?...
କେଜାଣି ?...

ସେ ଏମିତି ଆସେ ମଝିରେ ମଝିରେ I ଠିକ ଆସିବ, ଯେତେବେଳେ ମନଦୁଃଖ ଥିବ, ନହେଲେ ଯେତେବେଳେ ଟେନସନ ଅଧିକ ଥିବ କି ଏକା ଏକା ଲାଗୁଥିବ I ଏପରି ସମୟ ରେ ସେ କାହିଁକି ଆସେ କେଜାଣି ? କେମିତି ଜାଣେ ସେ ଏତେ କଥା ? କିଏ କହେ ତାକୁ ଆସିବାକୁ? ନା କିଏ ଦିଏ ତାକୁ ମୋ ଖବର? ମୁଁ ରାଗି କି ଗାଳି ଦେଉଥିବି ଆଉ ସେ ହସି ହସି ସବୁ କଥା କୁ ଆଡେଇ ଯାଉଥିବ I      

ସେଦିନ କିନ୍ତୁ ଆସିଥିଲା ରାତି ଅଧାରେ...ଯେତେବେଳେ ସମସ୍ତେ ଶୋଇ ସାରିଥିଲେ... ବାହାରେ ବୁଲା କୁକୁର ହୋ ଓ ଓ ଓ କରି ରଡି ପକାଉଥିଲେ... 
ବାହାରେ ଲାଗିଥିବା ବାରଲାଇଟ ତା ଦପ ଦପ ହୋଇ ଜଳୁଥିଲା.... ପବନ ର ସଅଁ ସଅଁ ଶବ୍ଦ ରହି ରହି ଝରକା ର ଫାଙ୍କ ଦେଇ ଘର ଭିତରେ ପଶୁଥିଲା ...
ବାପାଙ୍କ ଘୁଙ୍ଗୁଡ଼ି ଆର ଘରୁ ଏଯାଏଁ ଶୁଭୁଥିଲା....ଆସି ଉଠେଇଲା ସେ ମୋତେ I କହିଲା, "ଚାଲ ଏ ଜହ୍ନ ଆଲୁଅରେ ଟିକେ ବୁଲି ଆସିବା I ମନଟା ଜମାରୁ ଭଲ ନାହିଁ ଆଜି" I 

ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲି ତାକୁ I 
ଏ ରାତିରେ ? 
ପୁଣି ଏତେ ଚୁଲବୁଲି ଝିଅ ର ମନ ଖରାପ ? 

ସତ କହିଲେ ଆଜି ଯାଏଁ ତା'ର ମନ ଦୁଃଖ ହେବା ମୁଁ କେବେ ଦେଖି ନଥିଲି I ସବୁ ଅବସ୍ଥା ରେ ଖାପ ଖୁଏଇନେବା ଝିଅଟିଏ ଥିଲା ସେ I ସବୁବେଳେ ହସ ହସ ମୁହଁ I କେଜାଣି ଶେଷ ଥର ସେ କେବେ କାନ୍ଦିଥିଲା I କଷ୍ଟ ହେଲେ ବି ହସୁଥିବ, ଗାଳି ଦେଲେ ବି ହସୁଥିବ I ଛୋପରି ଖଣ୍ଡିଏ I ଆଜି ଯିଏ ତାକୁ ଗାଳି ଦେଇଥିବ, କାରଣ ଥାଉ କି ନଥାଉ, କାଲି ସକାଳୁ ସେ ତା ସହ ଆସି ହସି ହସି କଥା ହେଉଥିବ I ବେଳେବେଳେ ତ ହସି ହସି ଗଡିଯାଏ I କିନ୍ତୁ, ତା'ର ଏହି ଗୁଣ ଗୁଡିକ ତ ମୋତେ ଭଲଲାଗେ I କାହିଁକି ? କାହିଁକି କଣ ମ ? ଗୋଟେ ପୁଅ ଆଉ କଣ ଚାହେଁ କି? 

ତାକୁ କେବେ କିଛି କହି ନ ଥିଲି I ନା ମୁଁ ତାକୁ କହିଥିଲି ଭଲପାଏ ବୋଲି ନା ସେ  ମୋତେ କହିଥିଲା I କେହି କାହାକୁ କିଛି କହି ନ ଥିଲେ ବି ମୁଁ ନିଜକୁ ପ୍ରେମିକ ଓ ତାକୁ ପ୍ରେମିକା ହିସାବରେ ସଜେଇ ସାରିଥିଲି କେଉଁଦିନୁ I ବେଳେ ବେଳେ ତା' ଉପରେ ହକ ଜାହିର କଲାବେଳେ ତା ହସ ହସ ମୁହଁ ରେ କେମିତି ଗୋଟେ ରେଖା ପଡ଼ିଯାଏ, କଣ ଭାବେ ସେ କେଜାଣି ? ମୁଁ କିନ୍ତୁ ଜାଣିଲେ ବି ଆହୁରି ଆହୁରି ତାଗିଦ କରେ ତାକୁ I ଆଜି ସିନା ମୁଁ ତା ପ୍ରେମିକ ହୋଇନି, କାଲି କୁ ତ' ହେବି ନା I ତେଣୁ ଆଜିଠୁ ହକ ଖୋଜିବାରେ ଅସୁବିଧା କଣ? ତା ମନର ଅବସ୍ଥା କେବେ ମୁଁ ଜାଣିବାକୁ ଚେଷ୍ଟା କରିନଥିଲି I କାହିଁକି କରିବି? ସେ ତ ସବୁବେଳେ ହସୁଥାଏ I 

ଜଣେ ମଣିଷ ହସେ କେତେବେଳେ ? 
ଯେତେବେଳେ ସେ ଖୁସିଥାଏ I 
ଖୁସିଥାଏ ମାନେ...ମନ ଖୁସିଥାଏ I 

ତେବେ ମନ ର ଅବସ୍ଥା ଆଉ କଣ ବୁଝିବି? ସେ ତ ଖୁସି ଅଛି I  ସବୁବେଳେ ଖୁସିଥାଏ, ମାନେ ତା ମନ ଖୁସି ଥାଏ ସବୁବେଳେ I ମୁଁ ଗାଳି କଲେ ବି ସେ ହସେ, ମୁଁ ରାଗିଲେ ବି ସେ ହସେ, ତାକୁ ଅଣ୍ଡର ଏସ୍ଟିମେଟ କଲେ ବି ସେ ହସେ I ଯେମିତି ହସ ଟା ତା ଜୀବନ I ନହସିଲେ ସେ ମରିଯିବ I ହେତ... କୁଆଡେ ପଳେଇଲିନି ମୁଁ ...

ହଁ, ସେ ଆସିଥିଲା, ରାତି ଅଧା ରେ, ମୋ ବେଡ଼ ପାଖକୁ, ମୋତେ ଉଠେଇଲା ଆଉ କହିଲା, "ଚାଲ ଏ ଜହ୍ନ ଆଲୁଅରେ ଟିକେ ବୁଲି ଆସିବା" I କିନ୍ତୁ ସେ ଆସିଲା କେମିତି ? ପୁଣି ମୋ ବେଡ଼ରୁମ କୁ ରାତି ଅଧା ରେ I ହେଃ.. ସେକଥା କିଏ ଚିନ୍ତା କରେ ସେତେବେଳେ ? ରାତି ଅଧା.. I ସେ ପାଖ ଘରେ ରହୁଥିଲା I ଆମ ପଡୋଶୀ I ଛଅ ବର୍ଷ ହେଲାଣି I ଆମେ ତ ଥିଲୁ ୨୫ ବର୍ଷ ହେଲା I ମୋ ଜନ୍ମ ପୂର୍ବରୁ I ଏଇଟା ଆମ ନିଜ ଘର I ସେମାନେ କିନ୍ତୁ ଆସିଥିଲେ ଛଅ ବର୍ଷ ତଳେ, ଭଡାରେ I କାହିଁକି? ମୁଁ ଜାଣିନି...  ତା ବାପାଙ୍କର ବଦଳି ହୋଇଥିବ, ନହେଲେ ପୁରୁଣା ଘର ମାଲିକ ଭଡା ବଢ଼େଇ ଦେଇଥିବ, ନ ହେଲେ କଲେଜ ପାଖ ହେଉଥିବ I ମୁଁ କଉ ଥିଲି ସେତେବେଳେ ଯେ ଜାଣିବି ? ମୁଁ ତ ରହୁଥିଲି ହଷ୍ଟେଲ ରେ I ଛଅ ମାସରେ ଥରେ  ମୁଁ  ଘରକୁ ଆସେ I ସେଥର ଆସିଲା ବେଳେ ଦେଖିଲି ନୂଆ ଝିଅଟିଏ, ଆମ ଘର ଆଗ ଦେଇ ଡେଇଁ ଡେଇଁ ଗଲା I କି ଅଜବ ଝିଅ ଇଏ ? କଲେଜ ପଢ଼ିଲାଣି କିନ୍ତୁ ଛୁଆଳିଆମୀ ଛାଡ଼ିନି I ଡେଇଁ ଡେଇଁ ଯାଉଛି, ପୁଣି ବାଟରେ ପଡିଥିବା ଗୋଡି , ପଥର କୁ ଲଖ୍ୟ କରି ଗୋଇଠା ମାରୁଛି, ଠିକ ଯେମିତି ପୁଅ ପିଲା ମାରନ୍ତି I ଗୋଟେ ଗୋଡି ଆସି ମୋ ପାଖରେ ପଡିଲା I ମୁଁ ରାଗି କରି ତାକୁ ଅନେଇଲି I ସେ, ସରି, ସରି କହି ପୁଣି ଆଉ ଗୋଟେ ଗୋଡି କୁ ଗୋଇଠା ମାରି ଡେଇଁ ଡେଇଁ ପଳେଇଲା I ମୁଁ ହସିଲି I କାହିଁକି କେଜାଣି ସତର ବର୍ଷ ବୟସ ରେ ମୋ ଛାତି ଟା, ଭିନ୍ନ କାରଣ ପାଇଁ ଧକ ଧକ ହେଲା I ଜୋର ରେ I ଏମିତି ବି ହୁଏ ? ନିଜେ ନିଜକୁ ପଚାରିଥିଲି I 

ତା' ପରେ? ତା' ପରେ କ'ଣ I ସନ୍ଧ୍ୟା ରେ ତା ମା' ଆଉ ମୋ ମା' ଫାଟକ ପାଖରେ କଥା ହେଉଥିଲେ I ମୁଁ ବାହାରେ ପବନ ଖାଉଥିଲି I ସେ ଆସି ତା' ମା ପାଖରେ ଠିଆହେଲା ଆଉ ମୋ ମା, ମୋତେ ଡାକିଲେ I କଥା କରେଇଲେ I ଆମେ ଏକା କ୍ଲାସ ରେ ପଢ଼ୁଥିଲୁ I ସେ ମୋ ଘର ପାଖ କଲେଜ ରେ ଆଉ ମୁଁ? ମୁଁ ଘରଠୁ ଦୁଇଶହ କିଲୋମିଟର ଦୁରରେ I ମନ ନଥିଲା ଏତେ ଦୁରକୁ ଯିବା ପାଇଁ I ସେଥିପାଇଁ ତ ରାଗରେ ଛଅ ମାସରେ ଥରେ ଆସୁଥିଲି ଘରକୁ I ୟା ପରଠୁ କିନ୍ତୁ ରାଗିବା ଆହୁରି ବଢି ଯାଇଥିଲା ଘର ଲୋକଙ୍କ ଉପରେ କିନ୍ତୁ ଘରକୁ ଆସୁଥିଲି ମାସକୁ ଥରେ I ତା'ପରେ ପନ୍ଦର ଦିନ ରେ ଥରେ I ଏ ଭିତରେ ଛଅ ବର୍ଷ ବିତି ଯାଇଥିଲା I  ପାଠ? କିଆଁ ପଚାରୁଛନ୍ତି? ପାଠ ସରି ଯାଇଥିଲା I କଣ ପଢ଼ୁଥୁଲୁ କି? ପନ୍ଦର ଦିନରେ ଥରେ ଘରକୁ ଆସିଲେ ପାଠ ହୁଏ? ତଥାପି ପାସ I ହଁ... ସେ ଅବସ୍ଥା ରେ ପାସ କରିବା ଟା ବି ବଡ କଥା I କଉ ଅବସ୍ଥା ? ଛାଡ ମ.. ଶୁଣିବାର ଅଛି ଶୁଣ, ନହେଲେ ନାହିଁ I କହିଲି ପରା," ସେଦିନ ମୋ ଛାତି ଟା, ଭିନ୍ନ କାରଣ ପାଇଁ ଧକ ଧକ ହେଲା" I ହଁ, ତାକୁ କହି ନଥିଲି I କିନ୍ତୁ ମୁଁ ୱାନ ସାଇଡ ଲଭ କରି ପାରିବି ନା... I ନା, ସେଥିପାଇଁ ବି ଅନୁମତି ଦରକାର?? 

ହଉ ହଉ ଶୁଣ, ତା ପାଇଁ ପୁଅ ଦେଖା ଚାଲିଥିଲା ଆଉ ମୋ ପାଇଁ ଚାକିରୀ ଖଣ୍ଡେ I କାହାକୁ କିଛି ମିଳୁ ନଥିଲା I ନା ତାକୁ ପୁଅ ନା ମୋତେ ଚାକିରୀ I ଚାକିରୀ ଖଣ୍ଡେ ମିଳି ଯାଇଥିଲେ ଅବା ଦୁଇଟା ଯାକ ମିଳି ଯାଇଥାନ୍ତା I କେମିତି ? ହେଃ.. କେମିତି କଣ ମ , ନବୁଝିଲା ପରି ହଉଛ ? ମୋତେ ଚାକିରୀ ମିଳିଲେ, ମୁଁ ପରା ଗୋଟେ ପୁଅ ... କିନ୍ତୁ ମୋତେ ଚାକିରୀ ମିଳୁ ନଥିଲା ଆଉ ତାକୁ ସବୁ ପୁଅ ରିଜେକ୍ଟ କରୁଥିଲେ I ମା, ଆଗରେ ମନଦୁଃଖ କଲେ ବି ଭିତରେ ଭିତରେ ମୁଁ ଖୁସି ହେଉଥିଲି I ଯାହା ହେଲେ ବି ମୋ ପ୍ରେମିକା ଆଉ କାହା ସହ ବାହାହବ ମୁଁ ପ୍ରେମିକ ହୋଇ ସମ୍ଭାଳିବି କି ? ହଁ, ଏବେ ବୁଝି ପାରୁଛ ତ ... 

ଏତେ ଦିନ ପରେ ମୋତେ ଗୋଟେ କମ୍ପାନୀ ରେ ଚାକିରୀ ମିଳିବାର ସମ୍ଭାବନା ଥିଲା I ଦୁଇଟା ରାଉଣ୍ଡ ସରି ଯାଇଥିଲା I ଖାଲି ଏଚଆର (HR) ରାଉଣ୍ଡ ବାକିଥିଲା I ମନ ଭିତରେ ବହୁତ ଖୁସିଥିଲି I ପଇସା ବେଶୀ ନ ଦିଅନ୍ତୁ ପଛେ, ଆମ ଚାରି ବାପା ମା ଙ୍କର ଦୁଇଟା ଟେନସନ ତ ଦୂରହେବ I ଏବେ ଆଉ ପଚାରନି, ଚାରି ବାପା ମା କେମିତି ଆଉ ଦୁଇଟା ଟେନସନ କଣ I ବୁଝି ଯା I 

ସେଇଦିନ ସିଏ ଆସିଲା, ରାତି ଅଧା ରେ I ମୁଁ ଶୋଇଥିଲି I ଉଠେଇଲା ଆଉ ଆମେ ଘରୁ ବାହାରି ଚନ୍ଦ୍ର ଆଲୋକ ରେ ଧିମା ଧିମା ପବନ ରେ ବୁଲିଲୁ I ଚାଲି ଚାଲି କେତେବାଟ ଯିବୁ? ସେଇ ପାଖରେ ବୁଲିଲୁ I ସେ ମୋ ହାତ ଧରିଥିଲା I ଦେହ ଭିତରେ ମୋ ରକ୍ତ ଗୁଡା ଯେମିତି ଧାଉଁଥିଲେ, କହି ପାରିବିନି I ତା ବାଳ ଖୋଲା I ବାଳ ଆଉ ଶାଲୱାର ର ଚୁନି ପବନ ରେ ଉଡୁଥିଲେ I ମୁଁ ତା' ମୁହଁ କୁ ଅନେଇ ପାରୁନଥିଲି I କାହିଁକି କଣ ? ପୁଅ ପିଲା ଟେ ହେଲେ ବି ମୋର ପୁଣି ଲାଜ ଅଛି ନା ନାହିଁ ? ମୋତେ ଅଫର ମିଳିଲା ପରେ ତାକୁ କେମିତି ପ୍ରପୋଜ କରିବି ସେଇୟା ଚିନ୍ତା କରୁଥିଲି I ଏପଟେ ତା ସହ କଥା ବି ହେଉଥିଲି I ମୁଣ୍ଡ ଦୁଇ ଆଡେ କାମ କରୁଥିଲା I ଆମେ ଏପଟ ସେପଟ ହୋଇ ବୁଲୁଥିଲୁ I ବେଶୀ ସମୟ, କିଛି କଥା ନ ହୋଇ ଚୁପଚାପ ଚାଲୁଥିଲୁ I କିଛି ସମୟ ଏଣୁ ତେଣୁ କଥା ହେଉ ଥିଲୁ I ସେମିତି କିଛି ଅଧିକ କଥା ନୁହଁ I ଯେଉଁ କଥା ଆମେ ପ୍ରାୟ ସବୁ ଦିନ ହେଉ I ଯେମିତି କି..  ଆଜି କଣ ରୋଷେଇ ହେଇଛି ତମ ଘରେ I ଆଜି କେଉଁ ସାଙ୍ଗ କୁ ଫୋନ କରିଥିଲି I କେଉଁ ସାଙ୍ଗ କୁ ଚାକିରୀ ମିଳିଗଲା I କେଉଁ ସାଙ୍ଗ ର ବାହାଘର ଆର ମାସ ରେ I କିଏ ତା ସ୍ତ୍ରୀକୁ ନେଇ କୁଆଡେ ବୁଲିବାକୁ ଗଲା I ଏମିତି ସବୁ ...କିଛି ସମୟ ପରେ ଆସିଲୁ ଘରକୁ I 

ପରଦିନ ସକାଳୁ ତା ମାଙ୍କ କାନ୍ଦ ରେ ମୋ ନିଦ ଭାଙ୍ଗିଲା I ମୁଁ କିଛି ବୁଝି ପାରୁ ନଥିଲି I ଦୌଡ଼ି ଯାଇ ଦେଖିଲା ବେଳକୁ ତା ମଲା ଶରୀର ଟା ଫ୍ୟାନ ରୁ ତଳକୁ ଝୁଲୁଥିଲା I  ରାତିରେ କେହିଜଣେ ପୁଅଘର ବାହାଘର କରିବେ ବୋଲି ଫୋନ ଦ୍ୱାରା ଜଣେଇ ଦେଇଥିଲେ I ସେ ଚୁପଚାପ ଥିଲା, ନା କିଛି କହିଥିଲା, ନା ବିରକ୍ତି ହୋଇଥିଲା, ନା ଖୁସି ଥିଲା I କେବଳ ଥରେ ମାତ୍ର ତା ସାନ ଭାଇ କୁ କହିଥିଲା," ଭଲ ହେଲାନି" I  

ଆଗରୁ ଥରେ ସେ ବାହାଘର ବିଷୟ ରେ ଘରେ କହିଥିଲା ବୋଲି ତାକୁ କୁଆଡେ ତା' ବାପା ପ୍ରବଳ ପିଟିଥିଲେ I ତା' ଝୁଲୁଥିବା ଲାସ ର ଗୋଡ ଦୁଇଟି କୁ ଧରି ତା ମା' ବାହୁନି ବାହୁନି କାନ୍ଦୁଥିଲେ I ମଝିରେ ମଝିରେ ମୋ ନାଁ ଟି ମୁଁ ଶୁଣିବାକୁ ପାଉଥିଲି I  ଘରର ଅନ୍ୟ ସମସ୍ତଙ୍କ ମୁହଁ ରେ କିଛି କିଛି ଚିନ୍ତା ର ରେଖା ଦେଖା ଯାଉଥିଲା । କାହିଁକି ସେ ଏମିତି କଲା? ଆମକୁ ତ ଜଣେଇ ପାରିଥାନ୍ତା। କିଏ କିଏ ଆହାଃ.. ଚୁ.. ଚୁ.. କରୁଥିଲେ I ପୋଲିସ ଆସି ସାରିଥିଲା I 

ଆଉ ମୁଁ?

ମନେପକେଇ ପାରୁନଥିଲି ରାତି ରେ ସେ ସତରେ ଆସିଥିଲା ନା ସ୍ବପ୍ନ ରେ ....          

--- ସମାପ୍ତ---

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ - ୯୩୭୬୦୧୨୫୦୦

Wednesday, 17 January 2018

ଦରପୋଡା କାଠ

ଦରପୋଡା କାଠ 
ସୁବଳ ମହାପାତ୍ର
୨୦୧୭ ମସିହା ର ନୂଆ ବର୍ଷ, ୨୦୧୬ ର ଶେଷ ରାତ୍ରିI ଅରଖ ନୂଆ ପରି ଝିଲ ମିଲ ପୋଷାକ ପରିହିତ ରାଜଧାନୀ ରେ ରାତ୍ରି ର ଚତୁର୍ଥ ପ୍ରହର I ଏକ ତିନି ତାରକା ହୋଟେଲ ରେ ତଥାପି କିଛି ଲୋକ ନୂଆବର୍ଷ ର ଖୁସି ଜାହିର କରୁଥାନ୍ତି I ସମୟ ରାତ୍ରି ପ୍ରାୟ ଦୁଇଟା ବାଜି ପଚାଶ ମିନିଟ I ପ୍ରଶାନ୍ତ ହାତରେ ଗ୍ଲାସ ଧରି ସଂଗୀତ ର ତାଳେ ତାଳେ ଝୁମି ଝୁମି ବଗିଚା ର ଏକ କୋଣ ରେ ଯାଇ ପହଁଚିଲା I ଲୁହା ଚୌକି ରେ ବସୁ ବସୁ ଭାରସାମ୍ୟ ହରେଇ ପଡିଗଲା ସେ I ନିଜକୁ ସମ୍ଭାଳି ନେଇ ଉଠିଲା ବେଳକୁ ଗ୍ଲାସ ରେ ଥିବା ରଙ୍ଗୀନ ପାଣି ଗୁଡିକ ତା ଜ୍ୟାକେଟ ଉପରେ ପଡି ସୁତା ତନ୍ତ୍ରୀ ଗୁଡିକୁ ମତୁଆଲା କରିସାରିଥିଲେ I ନା, ଏଥର ଘରକୁ ଫେରିବାକୁ ପଡିବ I ସ୍ତ୍ରୀ ମିନତୀ ଆଉ ଝିଅ ଶୈଳ ଯାଇଛନ୍ତି ଶୈଳ ର ସ୍କୁଲ ପିକନିକ ରେ I ସେଥିପାଇଁ ସେ ଆଜି ନିଜ ସ୍ୱାଧୀନତା ର ସ୍ୱାଦ ଚାଖିବାକୁ ଆସି ଯାଇଥିଲା ଏକ ନୂଆବର୍ଷ ପାର୍ଟି କୁ I ନଚେତ ବାହାରେ କେଉଁଠି ଟିକେ ପିଇ ଦେଇ ଘରକୁ ଗଲେ ମିନତୀ ସବୁ ବେଳେ ଜାଣି ଦିଏ I ସନ୍ଦେହୀ ଆଖି କୁ ସନ୍ଦେହୀ ନାକ ତା'ର, ପ୍ରଶାନ୍ତ ର ଆଚରଣ ରୁ ହେଉ କିମ୍ବା ମୁହଁ ରୁ ଆସୁଥିବା ବିଦେଶୀ ପାନୀୟ ର ସୁଗନ୍ଧ ରୁ ହେଉ କୌଣସି ପ୍ରକାରେ ଧରା ପକେଇ ଦିଅନ୍ତି I ଆଉ ତା'ପରେ?? ପନ୍ଦର ମିନିଟ ର ଗାଳି ସହ ପାଞ୍ଚ ମିନିଟ ର ତାଗିଦ, ତା ସହ ମିଶନ୍ତି ଝିଅ ଶୈଳ ର ଭବିଷ୍ୟତ ଉପରେ ପ୍ରବଚନ ଆଉ... ଆଉ? ଘର ଛାଡି ବାପା ଘରକୁ ଚାଲିଯିବାର ଧମକ, ସୁଉଁ ସୁଉଁ କାନ୍ଦ, ମୁହଁ ଫୁଲା ଆହୁରି ଆହୁରି କେତେ କଣ, ଶେଷ ହୁଏ କାଲିଠୁ ମଦ ନ ପିଇବାର ଶପଥ ରେ I ରାତି ନ ଟା ରେ ଘରେ ପହଁଚିଲେ ଯାତ୍ରା ସରୁ ସରୁ ରାତି ବାର I ଛଅ ବର୍ଷ ର ଝିଅ ଶୈଳ ସେତେବେଳକୁ ଶୋଇ ସାରିଥାଏ I ତାକୁ ଟିକେ ଗେଲ କରିବାକୁ କି ତା ସହ ଖେଳୁବାକୁ ବି ସମୟ ହୁଏନି I ଛେ.... ସ୍ତ୍ରୀ ଉପରେ ବହୁତ ରାଗି ଯାଏ ସେ I ସେଥିପାଇଁ ସେ ଏବେ ପିଇବା ଛାଡି ଦେଇଛି I ତଥାପି ଲୁଚେଇ ଲୁଚେଇ ଛୁଟି ଦିନ ମାନଙ୍କରେ ଅଫିସ ଅଛି କହି ସାଙ୍ଗ ମାନଙ୍କ ସହ ଦିନ ବେଳେ ପିଇଦିଏ I  ଝିଅ ର ପରୀକ୍ଷା ସରିଲେ, ଖରା ଛୁଟି ହେଉ କି ବଡ଼ଦିନ ଛୁଟି, ଥରେ ଗାଁ କୁ ଆଉ ଥରେ ଶ୍ୱଶୁର ଘରକୁ ପଠେଇ ଦେଇ ଟିକେ ଶାନ୍ତି ରେ ନିଶ୍ୱାସ ମାରେ ସେ I ଏତିକି ଦିନ ସେ ବଞ୍ଚେ ଜଣେ ଅବିବାହିତ ର ହଷ୍ଟେଲ ଲାଇଫ I ଘର ର କୌଣସି ଜିନିଷ ରେ ଧ୍ୟାନ ନଥାଏ ତା' ର, ସକାଳୁ ଉଠି, ବ୍ରସ କରି, ଗାଧୋଇ ଅଫିସ ଯିବା ଆଉ ସନ୍ଧ୍ୟା ରେ ଫେରିଲା ବେଳେ ମଧ୍ୟମ ଆକାର ର ନାଲି ପାଣି ବୋତଲ ଟିଏ ସହ କିଛି ମିକ୍ସଚର, ଖୁର୍ସିଦ ଭାଇ ଦୋକାନ ରୁ କେବେ ଚିକେନ ପକୋଡା ତ କେବେ ଚିକେନ କବାବ, କେବେ ଅବା ତନ୍ଦୁରି ସହ ଚିକେନ ବିରିୟାନୀ ଗୋଟେ ଆଣି ରାତି ଟି ଘରେ କଟେଇବା ବ୍ୟତୀତ ଆଉ କିଛି ଦେଖେ ନାହିଁ ସେ I ସ୍ତ୍ରୀ ଆଉ ଝିଅ ଫେରିବା ପୂର୍ବଦିନ ସେ ସଜାଡ଼େ ଘରକୁ ଠିକ ସେମିତି, ଯେମିତି ମିନତୀ ଛାଡିକି ଯାଇଥିଲା I ମିନତୀ ବି ସୁରାକ ପାଏନି କିଛି I ସେଥିପାଇଁ ସେ ବନ୍ଦ କରି ଦେଇଛି ଅନ୍ୟ ଦିନ ମାନଙ୍କ ରେ ପିଇବା I ଏଥର କିନ୍ତୁ ଝିଅ ର ପିକନିକ ଥିବାରୁ ବଡ ଦିନ ଛୁଟି ଟା ପୁରା ମାରା ହେଇଗଲା I ଆଜି ଗୋଟେ ଦିନ ଛୁଟି ମିଳିଛି I ରାତି ୧୦ ଟା ରେ ସ୍ତ୍ରୀ ଆଉ ଝିଅ କୁ ସ୍କୁଲ ରେ ଛାଡି ଆସିଲା ପରେ ସେ ଆଜି ରାଜା I ସେମାନେ ଆସି ପହଞ୍ଚିବେ କାଲି ସନ୍ଧ୍ୟା ଆଠଟା ରେ I ସେତେବେଳ ଯାଏ ପ୍ରଶାନ୍ତ ନିଜ ଇଚ୍ଛା ର ମାଲିକ I ସେମାନଙ୍କୁ ସ୍କୁଲ ରେ ଛାଡି ସେ ସିଧା ଆସିଛି ଏ ହୋଟେଲ କୁ I   
ଚୌକି ର ହ୍ୟାଣ୍ଡେଲ ରେ ମୁଣ୍ଡ ଟା ବାଡେଇ ହଉ ହଉ ରହିଗଲା I ନା, ଆଉ ନୁହଁ I ଗ୍ଲାସ କୁ ସେଇ ଚୌକି ଉପରେ ରଖି ସେ ବାହାରିଲା ଘରକୁ ଯିବାକୁ I ଟଳି ଟଳି ଗାଡି ପାଖକୁ ଆସି ଗାଡି ର ଡୋର ଖୋଲିଲା ସେ I ଦଶ ବର୍ଷ ର ଗାଡି ଚଲା ଭିତରେ ସେ ଏତେ ନର୍ଭସ କେବେ ବି ହୋଇ ନଥିଲା I ବହୁତ ଦିନ ପରେ ନିଶା ଆଜି ଜୋର ଧରି ଯାଇଥିଲା ତାକୁ I ଯାହା ହେଲେ ବି ଘରେ ପହଞ୍ଚିବାକୁ ହେବ I ରାତି ତିନିଟା ଉପରେ ହୋଇ ଗଲାଣି I ଆଉ ଡେରି କଲେ ହବନି I ଗାଡି ରେ ବସି, ଗାଡି ଷ୍ଟାର୍ଟ କଲା ସେ I ଡୋର ର କାଚ କୁ ଅଳ୍ପ ଖୋଲା କରି, ଡୋର ବନ୍ଦ କଲା I ଆଗ କାଚ ଭିତର ଦେଇ ବାହାର ରାସ୍ତା ଟା କେମିତି ଝାପ୍ସା ଝାପ୍ସା ଦେଖା ଯାଉଥିଲା ତାକୁ I ଆଖି କୁ ଦୁଇଥର ଦଳି, ବଡ ବଡ ଆଖି କରି ଆଉ ଥରେ ରାସ୍ତା କୁ ଦେଖିଲା ସେ I ହଁ, ଏଥର ଟିକେ ଭଲ ଦେଖା ଗଲା I ବାଁ ପଟକୁ ଷ୍ଟିୟରିଂ ମୋଡି ଆଗକୁ ଆଗେଇଲା ସେ I ରାସ୍ତା ଖୋଲା, ରାଜଧାନୀ ର ଲୋକ ଗୁଡା ବାରଟା ବେଳକୁ ହାଲ୍ଲା ଗୁଲ୍ଲା କରି ଶୋଇ ପଡିଲେଣି ସବୁ I ସକାଳୁ ଉଠି ପୁଣି ସମସ୍ତେ ସମସ୍ତଙ୍କୁ ନୂଆ ବର୍ଷ ର ଅଭିନନ୍ଦନ ଜଣେଇବେ, ମିଠା ଖୁଏଇବେ ଆଉ କେତେ କଣ ସବୁ କରିବେ I ଆମ ବେଳକୁ ଗାଁ ରେ କଣ ଥିଲା ଏ ସବୁ ? କେତେ ରଙ୍ଗୀନ ଏ ସହର ଆଉ କେତେ ରଙ୍ଗୀନ ଏ ଲୋକ, କେତେ ରଙ୍ଗୀନ ଏ ରାସ୍ତା ଆଉ କେତେ ରଙ୍ଗୀନ ଏ ବୟସ I ଭାବୁ ଭାବୁ ଆଖି ତା' ର ମାଡି ମାଡି ପଡୁଥାଏ I ହଠାତ .... କିଛି ବିକଟାଳ ଶବ୍ଦ ସହ ଗାଡି କୁ ଯେମିତି କିଏ ଆଗରୁ ଟାଣି ନେଉଛି, ନିୟଂତ୍ରଣ ନାହିଁ ଏବେ ତା' ହାତ ରେ I ଗାଡି ଟା ମନକୁ ମନ କୁଆଡେ ଯାଉଛି ଆଉ..  ...  ....   ଦୂଉଉ ଉ ଉ ଉ ଉ ମ............   
**********
ନିଦ ଭାଙ୍ଗିଲା ପ୍ରଶାନ୍ତ ର I ବେଡ଼ ଉପରେ ଥାଇ ଚାରି ଆଡକୁ ଚାହିଁଲା ସେ I ଉଠି ଦେଖିଲା ହାତରେ ସାଲାଇନ ର ଛୁଞ୍ଚି I କୌଣସି ଏକ ଡାକ୍ତରଖାନା ର କୋଠରୀ ପରି ଲାଗୁଥାଏ I ପାଖରେ ବିଭିନ୍ନ ପ୍ରକାର ର ଯନ୍ତ୍ରପାତି I ଯନ୍ତ୍ର ର ଟିଭି ରେ କେତେ କଣ ରେଖା ସବୁ ଉପର ତଳ ହୋଇ ମାଡି ଯାଉଥାନ୍ତି I ମଣିଷ କେହି ନଥାନ୍ତି ସେ କୋଠରୀ ରେ I ପୁଣି ଥରେ ଆଖି ବୁଜି ହୋଇ ଆସିଲା ତା' ର I ମୁଣ୍ଡ ଆଉ ଗୋଡ ରେ ପ୍ରବଳ ଯନ୍ତ୍ରଣା I ଡାହାଣ ଗୋଡ ଟା ନ ଥିଲା ପରି ଲାଗୁଥାଏ କିନ୍ତୁ ଆଂଠୁ ପାଖରୁ ପ୍ରବଳ ଯନ୍ତ୍ରଣା ହେଉ ଥାଏ I ବିକଳ ରେ ଚିତ୍କାର କରି ଉଠିଲା ସେ I କିଛି ସମୟ ପରେ ପୁଣି ଆଖି ବୁଲେଇ ସବୁ ଆଡକୁ ଦେଖିବାକୁ ଚେଷ୍ଟା କଲା ସେ I ଭୀଷଣ ଭାବରେ ଶୋଷ ଲାଗୁଥାଏ ତାକୁ I ଆଖି ବୁଲାଉ ବୁଲାଉ ଦେଖିବାକୁ ପାଇଲା ୨୦୧୭ ମସିହା ର କ୍ୟାଲେଣ୍ଡର I କ୍ୟାଲେଣ୍ଡର ରେ ଜାନୁଆରୀ ୧୮ ତାରିଖ ଟି ଉପରେ ଥାଏ I ସେ ମନେ ପକେଇବାକୁ ଚେଷ୍ଟା କଲା ଏଠିକୁ ଆସିଲା କେମିତି I ମିନତୀ ଆଉ ଶୈଳ କୁ ସ୍କୁଲ ରେ ଛାଡି ସେ କେଉଁ ଏକ ଜାଗାକୁ ଯାଇଥିଲା ବୋଲି ମନେ ପଡିଲା I ତା ପରେ କିନ୍ତୁ ମନେ ନାହିଁ I ଆରେ....ସେ ତ ଯାଇଥିଲା ଡ଼ିସେମ୍ବର ୩୧ ରେ ଆଜି କଣ ଜାନୁଆରୀ ୧୮ ଦେଖାଉଛି ? ଏତିକି ଦିନ ଭିତରେ ତା'ର ତ କିଛି ବି ମନେ ନାହିଁ ? ମିନତୀ ଆଉ ଝିଅ ଆସିଲେ ନା ନାହିଁ? କିଏ ତାଙ୍କୁ ଆଣିଲା? ସେ ନିଜେ ଏଠିକୁ କେମିତି ଆସିଲା? କୌଣସି ପ୍ରଶ୍ନ ର ଉତ୍ତର ପାଉ ନଥିଲା ସେ...
କିଛି ସମୟ ପରେ ନର୍ସ ଜଣେ ଆସିଲେ ଓ ତା' ର ହୋସ ଆସିଲାଣି ବୋଲି ଜଣେଇ ଦେଲେ ମିନତୀ କୁ। ଆସ୍ତେ ଆସ୍ତେ ସବୁ ଜିନିଷ ଜାଣିବାକୁ ପାଇଲା ସେ I ସେଦିନ ହୋଟେଲ ର ପାର୍ଟି କୁ ଯାଇ ମଦ ପିଇଥିଲା ସେ ଆଉ ଘରକୁ ଫେରିବା ବାଟରେ ବ୍ରିଜ ତଳକୁ ଖସି ପଡିଲା I ସକାଳୁ କେହି ଜଣେ ବାଟୋଇ ଦେଖି 108 କୁ ଡାକି ଡାକ୍ତର ଖାନା ରେ ଭର୍ତି କଲା I ରାତିରେ ମିନତୀ ଓ ଝିଅ ଆସିଲା ପରେ ଖବର ପାଇ ଡାକ୍ତର ଖାନା ଆସିଲେ I ସେବେଠୁ ପ୍ରଶାନ୍ତ କୋମା ରେ ଥିଲା I ଅଠର ଦିନ ପରେ ଚେତା ଆସିଲା ତା'ର I ଡାହାଣ ଗୋଡ ର ହାଡ ଚୁନା ହୋଇ ଯାଇଥିଲା I ପିତ୍ତଳ ର ରଡ଼ ଲାଗିଲା ସେଥିରେ I ଓଃ...କି କଷ୍ଟ... ମଦ ଯେ ଏତେ ମାରାତ୍ମକ, ଏହା ଏବେ ସେ ହୃଦୟଙ୍ଗମ କରୁଥିଲା I 
ପ୍ରାୟ ଆଠ ମାସ ପରେ ... 
ଏବେ ସେ ଭଲ ହୋଇ ଆସୁଥିଲା I କିନ୍ତୁ ଗୋଡ ରେ ଲାଗିଥିବା ପିତ୍ତଳ ରଡ଼ ଯୋଗୁଁ ସେ ଠିକ ରେ ଚାଲବୁଲ କରିପାରୁ ନଥିଲା, ଭରା ଦେଇ ପାରୁ ନଥିଲା I ଆଶାବାଡି ସାହାର୍ଯ୍ୟ ରେ ସେ ଏବେ ଟିକେ ଟିକେ ଚାଲବୁଲ କରୁଥିଲା I ସକାଳୁ ସକାଳୁ ନିଦ ଭାଙ୍ଗିଗଲା ପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ସେ ଯେମିତି ହେଲେ ଗାଡିକୁ ସଫା କରିବ। ଦାଣ୍ଡ ଦୁଆରେ ଥୋଇ ଥୋଇ ଗାଡି ଉପରେ ମଇଳା ପରସ୍ତେ ପଡି ଯାଇଛି। ଅଗତ୍ୟା ସେ ହାତରେ କନା ଓ ପାଣି ବାଲଟି ଧରି ଯାଇ ଗାଡି ଧୋଇବାରେ ଲାଗିଗଲା। ଏହି ସମୟ ରେ ରାସ୍ତା ରେ ଯାଉଥିବା ଗୋଟେ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତ କୁ କହିଲା, "ଆଜ୍ଞା ଟଙ୍କା କୋଡିଏ ଟା ଯଦି ଦେବେ, ମୁଁ ଧୋଇଦେବି।" 
ପ୍ରଶାନ୍ତ ତାକୁ ଚାହିଁ କହିଲା, "ତୁମକୁ ଗାଡି ଧୋଇ ଆସେ? " 
ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା। ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡିଏ ଟଙ୍କା ର କଥା। ଗ୍ୟାରେଜ କୁ ନେଲେ ଅନ୍ତତଃ ଦେଢଶହ ଟଙ୍କା ଚାଲିଯିବ। ସେ ରାଜି ହୋଇଗଲା । ଲୋକଟା କୁ ବାଲଟି ଦେଉ ଦେଉ ପଚାରିଲା ," ସତରେ ତୁ କୋଡିଏ ଟଙ୍କା ରେ ଧୋଇବାକୁ ଇଛା କରିଛୁ ନା ମୋ ଖଣ୍ଡିଆ ଗୋଡ଼ ଦେଖି ମୋତେ ଦୟା କରୁଛୁ?" I ଆଶାବାଡି ଟି ଧରି ଗୋଟେ ଗୋଡ ରେ ଡେଇଁ ଡେଇଁ କନା ଟି ତା ହାତ କୁ ବଢ଼େଇ ଦେଉ ଦେଉ ପ୍ରଶାନ୍ତ ଲୋକଟି ଆଡକୁ ଚାହିଁ କହିଲା I
ଲୋକ ଟି କହିଲା, "ନା , ନା, ବାବୁ। ମୁଁ ଗରିବ ଲୋକ। ମୁଁ ଆପଣଙ୍କୁ କଣ ଦୟା କରିବି I କାମ ଟିଏ ଖୋଜି ଖୋଜି ବୁଲୁଛି ଆଜ୍ଞା I   
:ଆଛା, ଖାଲି ଗାଡି ଧୋଇ ଆସେ ନା ଆଉ କଣ କରି ଆସେ?
: ମୁଁ ଜଣେ ଡ୍ରାଇଭର ଆଜ୍ଞା I କିଛି ଦିନ ପୂର୍ବରୁ ପଟେଲବାବୁ ଘର ଗାଡି ବିକ୍ରି କରିଦେବାରୁ ଏବେ ମୋ ହାତରେ କାମ ନାହିଁ I ସକାଳୁ ସନ୍ଧ୍ୟା ବୁଲି ବୁଲି କାମ ଖୋଜୁଛି I ଆପଣଙ୍କ ର ଯଦି କେହି ଚିନ୍ହା ଥିବେ ମୋ ପାଇଁ କାମ ଟେ ବୁଝି ଦିଅନ୍ତେ ନାହିଁ?
: ହଉ ଦେଖିବା !! ତୁ.. ଆଗ ଗାଡି ଧୋଇ ସାରେ ...  
ଲୋକଟି ଗାଡି ଧୋଇବା ଭିତରେ ପ୍ରଶାନ୍ତ କିଛି ଚିନ୍ତା କରିବାକୁ ଲାଗିଲା I ଲୋକ ଟିକୁ ଡ୍ରାଇଭର ଭାବେ ରଖିଲେ କିପରି ହୁଅନ୍ତା ? ତାକୁ ଏବେ ଅଫିସ ଯିବା ପାଇଁ ଅସୁବିଧା ହେଉଛି I ମିନତୀ ସବୁଦିନ ଛାଡିବାକୁ ଆଉ ଆଣିବାକୁ ଯାଉଛି I କୁଆଡେ ଯିବାକୁ ହେଲେ କେହି ଜଣେ ସମ୍ପର୍କୀୟ ଙ୍କୁ ଡାକିବାକୁ ପଡୁଛି ଗାଡି ଚଲେଇବା ପାଇଁ I ୟାକୁ ଡ୍ରାଇଭର ରଖିଲେ ସବୁ ସମସ୍ୟା ର ସମାଧାନ ହୋଇ ଯିବ I   
:ଆଛା, ତୋର ମାସକୁ ଦରମା କେତେ ? 
:ଆଜ୍ଞା, ଚାରି ହଜାର ଦେବେ I କୁଆଡେ ବାହାରକୁ ଗଲେ ଦିନକୁ ୧୦୦ ଟଙ୍କା ଖାଇବା ଖର୍ଚ I 
ଏତିକି ଭିତରେ ଗାଡି ଟି ଧୋଇ ଧାଈ ଚିକ ଚିକ କରି ଦେଇଥିଲା ସେ I 
:ହଉ, କାଲିଠୁ କାମ କୁ ଆସେ I ମାସକୁ ଚାରି ହଜାର ଦେବି, ତା ସହ ବାହାରକୁ ଗଲେ ଆମ ସହ ଖାଇବୁ I ଠିକ ଅଛି ? ତୋ କାମ ହେଲା ସବୁଦିନ ମୋତେ ନେଇ ଅଫିସ ଯିବୁ ଆଉ ସନ୍ଧ୍ୟା ରେ ମୋତେ ଆଣି ଛାଡ଼ିବୁ I କେବେ କେମିତି ବଜାର ଆଉ ବାକି, ଆଖ ପାଖବୁଲାବୁଲି I ଠିକ ଅଛି ତ?  ପଚାଶ ଟଙ୍କା ର ନୋଟ ଟେ ତାକୁ ବଢ଼େଇ ଦେଉ ଦେଉ କହିଲା ପ୍ରଶାନ୍ତ I 
:ହଉ ଆଜ୍ଞା I 
ମୁଣ୍ଡିଆ ଟିଏ ମାରି ସେ ଚାଲିଗଲା I    
ଘରକୁ ଆସି ମିନତୀ କୁ କହିଲା ସେ, ପ୍ରଥମେ ପ୍ରଥମେ ମିନତୀ ଅରାଜି ହେଲେ ବି ପରେ ରାଜି ହୋଇଗଲା I ପ୍ରଶାନ୍ତ କୁ ଏକା କୁଆଡେ ବି ଛାଡିବାକୁ ମିନତୀ ଚାହୁଁନଥିଲା I କିନ୍ତୁ ଅଧିକ କାମ ପଡିଯାଉଥିଲା ତାକୁ I ଘର କାମ, ପିଲାଙ୍କ କାମ, ପିଲାଙ୍କ ସ୍କୁଲ, ଟିଉସନ, ପ୍ରଶାନ୍ତ ର ଅଫିସ, ଘର ରୋଷେଇ, ପରିବା, ରାସନ ରୁ ଆରମ୍ଭ କରି ଇଲେକ୍ଟ୍ରିକ ବିଲ ପଇଠ ଯାଏ ସବୁ I ଓଃ.. । ଏତେଦିନ ପରେ ଆସ୍ତେ ଆସ୍ତେ ପୁଣି ଘର ର ସବୁ ଜିନିଷ ପୂର୍ବପରି ହେବାକୁ ଲାଗିଲା I ସମସ୍ତେ ନିଜ ନିଜ କାମ କରିବାକୁ ଲାଗିଲେ I ପ୍ରଶାନ୍ତ ମଦ ପିଇବା ପୁରା ଛାଡି ଦେଇଥିଲା I ଘରେ ହସ ଖୁସି ର ପରିବେଶ I ପ୍ରଶାନ୍ତ ର କିଛି କାମ କିନ୍ତୁ ଏବେ ବି ମିନତୀ କୁ କରିବାକୁ ପଡୁଥିଲା ଓ ବେଳେ ବେଳେ ତାକୁ ଉଠା ବସା ରେ ସାହାର୍ଯ୍ୟ କରିବାକୁ ପଡୁଥିଲା I ଆସ୍ତେ ଆସ୍ତେ ଏ ସବୁ ବି କମ ହେବାକୁ ଲାଗିଲା I କିନ୍ତୁ ଆଉ ଥରେ ଗାଡି ଚଳେଇବାକୁ ସାହସ ପାଉନଥିଲା ପ୍ରଶାନ୍ତ ର I ଡ୍ରାଇଭର ବି ଭଲ ଲୋକ ଟିଏ ଥିଲା I ତେଣୁ ତାକୁ ଛାଡିବାକୁ ଇଛା ନଥିଲା ପ୍ରଶାନ୍ତ ର I 
ଡ୍ରାଇଭର ର ନାଁ ଦେବ I ଭଲ ଲୋକଟିଏ I ଡ୍ରାଇଭର ହୋଇ ବି ନିଶାପାଣି ଠୁ ବହୁ ଦୂରରେ I କେବେ ପାନ ଖଣ୍ଡେ ବି ଖାଏ ନାହିଁ I ଦୁଇ ବର୍ଷ ପୂର୍ବରୁ ସ୍ତ୍ରୀ ଚାଲି ଯାଇଛି ଆର ପାରି କୁ I ଛାଡି ଦେଇ ଯାଇଛି ତିନୋଟି ପିଲା I ସାନ ଟି ଜନ୍ମ ହଉ ହଉ ମା ମରିଗଲା I ମା ଛେଉଣ୍ଡ ଛୁଆ ତିନୋଟି କୁ ପାଳିବାକୁ ବହୁତ ପରିଶ୍ରମ କରିବାକୁ ପଡେ I ଘର, ଦେବ ର ବିଧବା ମା ସମ୍ଭାଳି ନିଏ I ହେଲେ ପେଟକୁ ଗଣ୍ଡେ ଆଉ ଦିହକୁ ଖଣ୍ଡେ ପାଇଁ ତ ପଇସା ଦରକାର ନା I ଘରେ ଖୋଲି ଦେଇଛି ସାନ ଦୋକାନ ଖଣ୍ଡେ I ବୁଢ଼ୀ ବସେ ସେଇ ଦୋକାନ ରେ I ତିନିମାସ ହେଲା ଚାକିରୀ ନଥିଲା ତା'ର I ଯାହା ବଞ୍ଚେଇ ବଞ୍ଚେଇ ରଖିଥିଲା ସେଇଥିରୁ ସାରୁଥିଲା I ବାକି ଚଳିଯାଏ ଦୋକାନ ରୁ ଆଉ ବାଡ଼ି ବଗିଚା ରୁ I ବାବୁ ଓ ବାବୁଆଣୀ ଚାକିରୀ ଖଣ୍ଡେ ଦେଇଛନ୍ତି ବୋଲି ଭାରି ଶ୍ରଦ୍ଧା ଓ ସମ୍ମାନ କରେ ଦେବ I କୌଣସି କଥା କୁ ତଳେ ପକେଇ ଦିଏନି I ସବୁଥିରେ ହଁ I ନିଜ ମନରୁ ବି କେବେ କେମିତି କିଛି ଅଧିକ କାମ କରି ଦିଏ I ପ୍ରଶାନ୍ତ ର ଏପରି ଦୁର୍ଘଟଣା ହୋଇଛି ଜାଣିବା ପରେ, ସେ ଧିରେ ଗାଡି ଚଳାଏ, ଯେମିତି କି ପ୍ରଶାନ୍ତ କୁ କିଛି ନ ଲାଗିବ । 
**********
ପୁଣି ଡ଼ିସେମ୍ବର ମାସ ଆରମ୍ଭ ହୋଇ ସାରିଥିଲା I ପ୍ରଶାନ୍ତ ଯୋଗୁଁ ଖରାଛୁଟି ରେ କେହି ବି କୁଆଡେ ଯାଇ ପାରି ନଥିଲେ I ମିନତୀ ଓ ଶୈଳ, ଘରେ ରହି ରହି ବିରକ୍ତ ହୋଇ ଯାଇଥିଲେ I ମିନତୀ ଉପରେ ଏତେ ଦିନ ର କାମ ଚାପ ଯୋଗୁଁ ଏବେ ସେ ଛୁଟି ରେ କୁଆଡେ ବୁଲିଯିବାକୁ ଚାହୁଁଥିଲେ ବି ପ୍ରଶାନ୍ତ କୁ ଏକୁଟିଆ ଛାଡି କୁଆଡେ ଯିବାକୁ ଇଛା ନଥିଲା ତା'ର I କିନ୍ତୁ ପ୍ରଶାନ୍ତ କଥାରେ ରାଜି ହେଲା ସେ I "ଦେବ ତ ଅଛି I ମୋର ଯାହା ଦରକାର ହେଲେ ସେ ଆଣି ଦେବ I ତମେ ଯାଅ, ମୁଁ ଅଫିସ ରୁ ଛୁଟି ନେଇ ଯିବି I ସାଙ୍ଗ ହୋଇ ଆସିବା" କହିଲା ପ୍ରଶାନ୍ତ I  
ଦେବ କୁ ଦାୟିତ୍ୱ ଦେଇ ବାହାରିଲା ମିନତୀ I ଦେବ ଭରସା ଯୋଗ୍ୟ I ସୁବିଧା ଅସୁବିଧା ଦେଖିବ I ଆଗରୁ ପ୍ରଶାନ୍ତ ମଦ ପିଉଥିଲା ବୋଲି ମିନତୀ ର ଚିନ୍ତା ବଢିଯାଏ I ହେଲେ ସେ ଦୁର୍ଘଟଣା ପରଠୁ ପ୍ରଶାନ୍ତ ପିଇବା ଛାଡି ଦେଇଛି I ଆଉ କଣ ଚିନ୍ତା ଅଛି ? ଝିଅ କୁ ଧରି କିଛି ଦିନ ଶାଶୁ ଘରେ ଓ କିଛି ଦିନ ବାପ ଘରେ ରହିବା ପ୍ଲାନ କରି ନିଶ୍ଚିନ୍ତ ରେ ସେ ବାହାରିଗଲା I   
************
ଡ଼ିସେମ୍ବର ୩୧, ୨୦୧୭ I ଗତବର୍ଷ ଆଜି ଦିନରେ ହିଁ ତା ର ଦୁର୍ଘଟଣା ହୋଇଥିଲା I ଅଫିସ ରେ ବସି ବସି ଅନ୍ୟମନସ୍କ ହୋଇ ପଡୁଥିଲା ପ୍ରଶାନ୍ତ I ଅଫିସ ର ସହକର୍ମୀ , ସାଙ୍ଗ ସାଥି ସମସ୍ତେ କେଜାଣି କେତେ ପ୍ରୋଗ୍ରାମ ପ୍ଲାନ କରି ସାରିଥିଲେ I ସମସ୍ତଙ୍କୁ ନାହିଁ କରିଦେଲା ସେ I କୌଣସି ଭୋଜି ରେ ଯିବା ରେ କିଛି ନାହିଁ , କିନ୍ତୁ ଅନ୍ୟ ମାନେ ବାଧ୍ୟ କରିବେ ପିଇବା ପାଇଁ I କାହାକୁ ମନା କରି ହେବ ନାହିଁ I ମୂଳରୁ ନ ଗଲେ ଗଲା I ବସି ବସି ରାତି ନଅ ଟା ରେ ଘରକୁ ବାହାରିଲା ସେ I କିନ୍ତୁ କେଜାଣି କାହିଁକି ତା ମନ ପୁଣି ଟାଣି ହେଇ ଯାଉଥିଲା ମଦ ଆଡେ I ପୁଣି ???  ବାଟ ରେ ଖୁର୍ସିଦ ଭାଇ ଦୋକାନ ରୁ ଗୋଟେ ପ୍ଲେଟ ବିରିୟାନୀ ଓ ଗୋଟେ ତନ୍ଦୁରି ଚିକେନ ପ୍ୟାକ କଲା I ଦେବ ଓ ଦେବର ଛୁଆ ମାନଙ୍କ ପାଇଁ ବି ତିନୋଟି ବିରିୟାନୀ ପ୍ୟାକ କଲା I ବାଟରେ ଫେରୁ ଫେରୁ ହୋଟେଲ ମାନଙ୍କର ରଙ୍ଗବେରଙ୍ଗ ଆଲୋକମାଳା ଓ ଡିଜେ ର ଶବ୍ଦ ଧ୍ୱନି ଶୁଣି ଶୁଣି ପୁଣି ମନ ଡାକୁଥିଲା , ହେଲେ ମନକୁ ଚାପି ଚାପି ସେ ଅନ୍ୟ ଆଡେ ମନ ଦେଉଥିଲା I ଟ୍ରାଫିକ ରେ ଗାଡି ଅଟକିଲା I ତିନି ମିନିଟ ଅପେକ୍ଷା କରିବାକୁ ପଡିବ I ୧୮୦...୧୭୯...୧୭୮...୧୭୭..୧୭୬...   ....   ୧୨୫...୧୨୪...୧୨୩...୧୨୨...୧୨୧...   ....  ୬୦...୫୯...୫୮...୫୭...୫୬...
ନା, ଆଉ ସମ୍ଭାଳି ହେବନି I ଗଲା ଥର ସିନା ନିଜେ ଗାଡି ଚଳେଇ ଗଲା ବୋଲି ଏତେ ହଇରାଣ ରେ ପଡିଲା I ଏଥର ଅଟୋ ରେ ଯିବ ସେ I ନଚେତ ଫୋନ କରି, ଦେବ କୁ ଡ଼ାକିବ I ତାହେଲେ କିଛି ଅସୁବିଧା ନାହିଁ ନା ..... ଦେବ କୁ କହିଲେ ସେ ଏବେ ୟାଡୁ ସ୍ୟାଡୁ କହି ଅଟକେଇବ I କିଛି ନହେଲେ ବି ମିନତୀ କୁ କହି ଦେବାର ଧମକ ଦେବ I ହଠାତ ଡୋର ଖୋଲି ଓ଼ଲ୍ଳେହି ପଡିଲା ପ୍ରଶାନ୍ତ I ଡୋର ବନ୍ଦ କରି ଖୋଲା ଥିବା କାଚ ପଟେ ଦେବ କୁ କହିଲା ସେ, "ବିରିୟାନୀ ଆଉ ତନ୍ଦୁରି ପିଲାଙ୍କ ପାଇଁ ନେଇ ଯିବୁ I ମୁଁ ଅଟୋ ରେ ଆସିବି ଭାରି ଘରକୁ, କିଛି ଚିନ୍ତା ନାହିଁ I ନହେଲେ ତୋତେ ଫୋନ କରି ଡାକିବି, ନୂଆ ବର୍ଷଟା ରେ ଟିକେ ଏନଜୟ ନ କଲେ ଭଲ ଲାଗିବନି "  କହି ସେ ଆଗକୁ ଆଗକୁ ଚାଲିଲା କୌଣସି ଏକ ହୋଟେଲ ଉଦ୍ଦେଶ୍ୟ ରେ....     
କିଛି ବୁଝି ନ ପାରି ପ୍ରଶାନ୍ତ ର ଯିବା ବାଟ କୁ "ହାଁ" କରି ଚାହିଁ ରହିଲା I ଟ୍ରାଫିକ ସିଗ୍ନାଲ ଛାଡି ସାରିଲା ପରେ କିନ୍ତୁ ଦେବ' ର ଆଉ କିଛି କରିବାର ନଥିଲା। ପ୍ରଶାନ୍ତ ଆରପଟ ରାସ୍ତା ଅତିକ୍ରମ କରି ସାରି କୁଆଡେ ଅଦୃଶ୍ୟ ହୋଇ ସାରିଥିଲା....

ଦେବ, ଆଗକୁ ଯାଉ ଯାଉ  ସବୁ କିଛି ବୁଝିଗଲା ପରି, ଭାବି ହେଉଥିଲା ," ମୋତେ ଯେତେ ମାଠିବୁ ମାଠ, ମୁଁ ତ' ସେଇ ଦରପୋଡା ......."
-----ସମାପ୍ତ----- 

ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ - ୯୩୭୬୦୧୨୫୦୦
ଇମେଲ - subal.mohapatra@gmail.com

Sunday, 14 January 2018

ସେଦିନ ର ଦୀପାବଳୀ ଓ ପୋତା ହାଡ

ସେଦିନ ର ଦୀପାବଳୀ ଓ ପୋତା ହାଡ 
ସୁବଳ ମହାପାତ୍ର


ଜୀବନ ରେ କେବେ ଦେଖି ନ ଥିଲେ ବି ଶବ୍ଦ ଟା କାହିଁକି ଅଖାଡୁଆ ଶୁଭେ I ହଁ, ଆଜ୍ଞା ମୁଁ ଭୂତ କଥା କହୁଛି I ଛୋଟ ବେଳେ କେତେ କଣ କାହାଣୀ ଶୁଣିଥିଲା ବଣ୍ଟି I ଲଗାଲଗି ଜେଜେ, ମାମୁଁ, ସାଙ୍ଗ ସାଥି ଆଉ ଗାଁ ଲୋକଙ୍କଠୁ ବହୁତ ପ୍ରକାର ଭୂତ ଗପ ଶୁଣିଛି ସେ I ଭୂତ କୁଆଡେ ରାତି ପହରକରୁ ଡାକି ନିଏ ମାଛ ମାରିବାକୁ କିମ୍ବା  ବିଲ ରେ ପାଣି ମଡ଼େଇବାକୁ I କେତେବେଳେ ଦେଖାଦିଏ କେଉଁ ବ୍ରାହ୍ମଣ କୁ ଯିଏ କୌଣସି ଏକ ଦୂର ଗାଁ ରୁ ବାହାଘର କିମ୍ବା ମୃତକ କାମ ସାରି ଫେରୁଥାଏ I କିଏ ଅବା ଦେଖେ କୌଣସି ଏକ ରାସ୍ତା ରେ, ନିଛାଟିଆ, ଶୂନଶାନ ଜଙ୍ଗଲ ମଝିରେ ରାତି ବାରଟା ରେ ସୁନ୍ଦରୀ ଝିଅ ଟିଏ ଆଗ ଛକ ଯାଏ ଯିବାପାଇଁ ଲିଫ୍ଟ ମାଗେ I କେତେବେଳେ କୌଣସି ଏକ ଗାଡି ର ବ୍ରେକ ଫେଲ କରି ଦିଏ ଓ କିଛି ବାଟ ଗଲା ପରେ ପୁଣି ଆପେ ଆପେ ଗାଡି ର ବ୍ରେକ କାମ କରିବାକୁ ଲାଗେ I

           ତା'ର ବି ଇଲମ ଅଛି ଯେ !!!  ଲଙ୍ଗଳା ହୋଇ ଭୂତଙ୍କ ସହ ନାଚିବାକୁ ପଡେ I ଗୋଲେଇ ଆକାର ର ମୁତି, ସେଇ ଭିତରେ ଠିଆ ହେବାକୁ ପଡେ ସକାଳ ଯାଏ I ମୁତ ମିଶା ମାଟି କୁ ତାଙ୍କ ଉପରକୁ ଫିଙ୍ଗି ବାକୁ ପଡେ I ହାତରେ ଲୁହା ର କୌଣସି ଏକ ଜିନିଷ ଧରି ଆସ୍ତେ ଆସ୍ତେ ସେମାନେ ନ ଦେଖିପାରିଲା ପରି ସେଠୁ ଖସି ଆସିବାକୁ ହୁଏ ଅବା ଗାଡି ଭିତରେ ପାଖରେ ଥିବା ମଦ ବୋତଲ ରୁ ଅଳ୍ପ ପିଇ ଆଉ ଅଳ୍ପ ହାତରେ ବୋଳି ହେଲେ ଭୂତ କିଛି କରି ପାରେ ନାହିଁ I

  ଭୂତ ବି ଆଜ୍ଞା କଣ କମ କି? ଚାହିଁଲେ ମଣିଷ କୁ ମାରି ଦେଇ ପାରେ, ପାଗଳ କରିପାରେ ଅବା ରକ୍ତ ଶୋଷିନିଏ I ସେ ଦର୍ପଣ ରେ ଦେଖା ଯାଏନି ଆଉ ରାତି ଅଧାରେ ଗାଡ଼ିରେ ଲିଫ୍ଟ ମାଗି ବସି ଯାଏ I ସେ ବସି ସାରିଲା ପରେ ଗାଡି ର ଓଜନ ବଢିଯାଏ I ଗାଡି ଓଜନିଆ ଲାଗେ I ୬୦ ସ୍ପିଡ଼ ରେ ଚଳେଇଲେ ୨୦ ରେ ଯିବାପରି ଲାଗେ I ଆଉ ସେଇ ଜାଗା ଟି ଅତିକ୍ରମ କରି ସାରିଲା ପରେ ଗାଡି ର ସ୍ପିଡ଼ ହଠାତ ପୁଣି ୬୦ କୁ ପଳେଇ ଆସେ ଆଉ ପାଖ ସିଟ ରେ ଝିଅ ଟି ନଥାଏ I ଚାଳକ ନିୟନ୍ତ୍ରଣ ହରାଇ କେଉଁ ଗଛରେ କିମ୍ବା ରାସ୍ତା ପାଖରେ ଥିବା ଭଙ୍ଗା ଘରେ ପିଟି ହୁଏ ଓ ମରିଯାଏ I ନହେଲେ କିଛି ଦୂର ଯିବା ପରେ ହଠାତ ଝିଅଟି ଉଭାନ ହୋଇ ଯାଏ ଓ ପଛରୁ କିଛି ଶବ୍ଦ ଆସି କାନ ରେ ବାଜେ "ଯା ରେ ପୁଅ ଏଥର ଛାଡିଦେଲି" I

  ଏଗୁଡା ସବୁ ଶୁଣି ଶୁଣି ବଣ୍ଟି ଅଭ୍ୟସ୍ତ ଥିଲା ଭୂତ କେମିତି ଆଉ ହାବୁଡ଼ ରେ ପଡିଲେ କେମିତି ବଞ୍ଚିବ I କିନ୍ତୁ କିଛି ପ୍ରଶ୍ନ ର ଉତ୍ତର ସେ ଆଜି ଯାଏ ବି ପାଇ ନଥିଲା I ଯେମିତି କି ଡ୍ରାଇଭର ଟି ମରି ସାରିଲା ପରେ ଲୋକ ମାନେ କେମିତି ଜାଣିଲେ ଏତେ ସବୁ ଘଟଣା ଘଟିଥିଲା ବୋଲି? ଭୂତ ମାନେ ଖାଲି ଖାଲି ରେ ନାଚନ୍ତି ନା ତାଙ୍କ ପାଇଁ କିଏ DJ ବଜାଏ? ତାଙ୍କର କଣ ମାଛ ଖାଇବା ପାଇଁ ଲୋଭ ଥାଏ ଯେ ସେମାନେ ମାଛ ମାରିବାକୁ ଡାକି ନିଅନ୍ତି? ସେମାନେ ତ ଯୁଆଡେ ଚାହିଁବେ ଯାଇ ପାରିବେ ତେବେ ଲିଫ୍ଟ କାହିଁକି ମାଗନ୍ତି ? ବ୍ରାହ୍ମଣ ପାଖରେ ତ ପଇତା ଥାଏ, ତାକୁ ଦେଖି କି ଭୂତ ଡରେ ନା ନାହିଁ? ଯଦି ଡରେ ତେବେ ବ୍ରାହ୍ମଣ ର ତ ଡରିବା ଦରକାର ନାହିଁ I ଆଉ ଯଦି ନ ଡରେ ତେବେ ସେ ବ୍ରାହ୍ମଣ ମୃତକ କାମ କିପରି କରେ? ସେତେବେଳେ ତାକୁ ଡର ଲାଗେ ନା ନାହିଁ? ଭୂତ ଦେହରେ ମୁତ ମାଟି କେମିତି ବାଜେ? ଲୁହା ଓ ମଦ କୁ ସେମାନେ ଡରନ୍ତି ନା ଭକ୍ତି କରନ୍ତି ନା ଘୃଣା କରନ୍ତି ? ଏସବୁ କାହାଣୀ ଶୁଣି ଶୁଣି ସେ ବଡ ହୋଇଛି I ଭୂତ ପ୍ରତି କିଛି ଡର ଥିଲେ ବି ସେ ଯେତେ ଯେତେ ବଡ ହୁଏ ଆସ୍ତେ ଆସ୍ତେ ଦୁନିଆଁ କୁ ଚିନ୍ହିଲା ପରେ ତା ମନରୁ ଭୂତ ପ୍ରତି ଥିବା ଡର ଛାଡି ଛାଡି ଯାଏ I ଲୋକ ମାନେ ତ ପୁଣି ନାଇଟ ସିଫ୍ଟ ସାରି ଘରକୁ ଆସୁଛନ୍ତି I ଏବେ ସହରରେ ବଡ ଗଛ କିମ୍ବା ସେମିତି ପୁରୁଣା ଘର କାହିଁ ଯେ ଭୂତ ରହିବ? ସହର ତ କେବେ ଶୁଏନି, ସବୁ ବେଳେ ଲୋକ ଯିବା ଆସିବା ଲାଗିଥାଏ ତେବେ ଭୂତ ନା ଫୁତ... ଭୂତ ଡର ଛାଡ଼ି ଛାଡି ଆସିଲା ବେଳକୁ ତାକୁ ଯିବାକୁ ପଡେ ଘରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ସହରକୁ I ଇଞ୍ଜିନିଅରିଂ ପଢିବା ପାଇଁ I ଜଣେ ମାମୁଁ ତାକୁ ଗୋଟିଏ ଡେଉଁରିଆ ଦେଲେ ପିନ୍ଧିବା ପାଇଁ I ସବୁ ଶୁଭ ହେବ I ହଉ I

  ଇଞ୍ଜିନିଅରିଂ ର ପ୍ରଥମ ବର୍ଷ ଯାହିତାହି ରେ କଟିଗଲା I ଦ୍ଵିତୀୟ ବର୍ଷ ବେଳକୁ ସେମାନେ କିଛି ସାଙ୍ଗ ଠିକ କରନ୍ତି ଗୋଟେ ଘର ଭଡା ନେଇ ମେସ କରି ରହିବେ I ପ୍ରାୟ ଆଠ ଜଣ I ଏତେବଡ ଘର ସହର ଭିତରେ ଅଳ୍ପ ପଇସା ରେ ମିଳିବା ମୁସ୍କିଲ I ତେବେ ସହର ଠୁ ଟିକେ ଦୂର ହେଲେ ବି କିଛି ଅସୁବିଧା ନାହିଁ I ପାଖରେ ଦୁଇ ତିନୋଟି ସ୍କୁଟର ଓ ମୋଟରସାଇକେଲ ଅଛି I କଲେଜ କୁ ବି ଯିବାପାଇଁ ସଟ କଟ ରାସ୍ତା ଅଛି I ଅଳ୍ପ ସମୟ ଭିତରେ ପହଞ୍ଚି ହେବ I ସପ୍ତାହକୁ ଥରେ ଦୁଇଥର ବଜାର ରୁ ପରିବା ନେଲେ ଯଥେଷ୍ଟ I ଚାଉଳ, ମସଲା ପାଇଁ ପାଖରେ ଗୋଟେ ଦୋକାନ ବି ଅଛି I ରୋଷେଇ ପାଇଁ ପାଖ ସାହି ରୁ ପିଲାଟିଏ ବି ମିଳିଗଲା I ସବୁ ଦୃଷ୍ଟି ରୁ ସୁବିଧା I ତେଣୁ ଘର ଟି ଭଡା ରେ ନେଇଗଲେ ସେମାନେ I ଆଗରୁ ମାଲିକ ସେ ଘରେ ନିଜେ ରହୁଥିଲା I ଏବେ ସେ ନିଜ ଘର ଛାଡି ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଅନ୍ୟ ଏକ ଘରକୁ ଭଡାରେ ଚାଲିଗଲା ଓ ବଜାର ଦରଠୁ ବି କମ ପଇସା ରେ ଘରଟି ଭଡା ରେ ଦେବା ପାଇଁ ରାଜି ହୋଇଗଲା I ବାଃ.. ବିରାଡ଼ି କପାଳ କୁ ଶିକା ଛିଣ୍ଡିଲା ପରିକା ଏମାନଙ୍କୁ ଘର ଟି ମିଳିଗଲା I

      ଏବେ କିଛି କିଛି ପଇସା ସଞ୍ଚି ହେବ I ଆଗରୁ ତ ଘର ଭଡା ଓ ହୋଟେଲ ଖାଇବାରେ ସବୁ ପଇସା ସରି ଯାଏ I ଯାହାହଉ ଭଲହେଲା I ନିରୋଳା, ଟିକେ ନିଛାଟିଆ ଜାଗାରେ ଘର ଟି ମିଳିଲା I ଟିକେ ନିଛାଟିଆ ଏଥିପାଇଁ ଯେ ଆଖ ପାଖରେ ଘର ଥିଲେ ବି ସାମ୍ନା ରେ ଖେଳ ପଡିଆ ଓ ଘର ସାଇଡ ରେ ରାସ୍ତା ଥିବାରୁ ଗୋଟିଏ ପଟେ ହିଁ ଜଣେ ପଡୋଶୀ I ପଛ ପାଖେ ଏଘର ର ବାଡ଼ି ଓ ପଛ ଘର ର ବାଡ଼ି ମିଶି ପ୍ରାୟ ଲମ୍ବା ଚଉଡା ରେ ବହୁତ I ତେଣୁ ତାଙ୍କୁ ପଡୋଶୀ ବୋଲି ବି କହି ହେବନି I    

      ଇଞ୍ଜିନିଅରିଂ ର ପିଲା ମାନେ ସତରେ ବଡ ଟ୍ୟାଲେଣ୍ଟେଡ I ପରୀକ୍ଷା ର ମାସେ ପୂର୍ବରୁ ପଢା ଆରମ୍ଭ ଓ ଛଅ ମାସ ର କୋର୍ସ ମାସେ ରେ ଖତମ I ତେଣୁ ବାକି ପାଞ୍ଚ ମାସ ତାଙ୍କ ପାଖରେ ଟାଇମ ହିଁ ଟାଇମ ଥାଏ I ଆଜି ଗଣେଶ ପୂଜା ତ କାଲି ଲକ୍ଷ୍ମୀ ପୂଜା I ସବୁ କେମିତି ନିଆରା ନିଆରା ଲାଗେ I ବଣ୍ଟି ର ମେସ ସାଙ୍ଗମାନେ ସେଦିନ ବସି କଥା ହେଲେ I ଏ ଥର ଦୀପାବଳୀ ଟା ବଡ ଧୁମ ଧାମ ରେ ପାଳିବା I ଆଖପାଖ ର ଲୋକାଲ ସାଙ୍ଗ ମାନେ ବି ହାତ ମିସେଇଲେ I ପାଖାପାଖି ଦଶ ହଜାର ଟଙ୍କା ଉପରେ କଲେକସନ ହେଲା I ଏଥର ଖୁବ ମଜା ହବ I ଦଶହଜାର ଟଙ୍କାର ବାଣ I ଆଖପାଖ ରୁ ବାଣ କିଣିଲେ ଅଳ୍ପ ଆସିବ I ତେଣୁ ଠିକ କଲେ ଯେ ପ୍ରାୟ ୩୦/୪୦ କିଲୋମିଟର ଦୂରରେ ଥିବା ଏକ ଗାଁ ରୁ ବାଣ ଆସିବ I ସେଠି ବାଣ ତିଆରି ହୁଏ I ସେଠୁ ହିଁ ବାଣ ଆଣି ଛୋଟ ଦୋକାନୀ ମାନେ ଚଢା ଦରରେ ବିକ୍ରି କରନ୍ତି I ଆହୁରି ବି ଲିଚୁ ଲାଇଟ ଆସିବ, ଧପଧପି ଚାଇନା ଲାଇଟ ବି ଆସିବ, ଗୋଟେ ମାଷ୍ଟର ବଲବ ବି ଆସିବ ଯେଉଁଟା କି ସବୁ ଲାଇଟ କୁ ଧପ ଧପ କରିବ I

     ବାସ, ଆରମ୍ଭ ହୋଇଗଲା ପ୍ରିପ୍ୟାରେସନ I ସାତଦିନ ପୂର୍ବରୁ ଲାଇଟ ସବୁ ଆସିଗଲା I ଖାଲି ବାଣ ବାକି ରହିଲା I ଯୋଜନା ଅନୁସାରେ ଦୀପାବଳୀ ପୂର୍ବ ଦିନ ବାଣ ଆସିବ I ହେଲେ ଲାଇଟ ସବୁ ଆସି ଗଲାଣି ଯେତେବେଳେ ଲଗେଇ ଦେଲେ ମେସ ଟା ସୁନ୍ଦର ଦିଶିବ I ତେଣୁ ସମସ୍ତେ ଲାଗିଗଲେ କାମରେ I କେଉଁ ଜାଗାରେ କେଉଁ ଲାଇଟ ଟା ଲଗେଇଲେ ଭଲ ଦେଖା ଯିବ ତା ମଧ୍ୟ ଫାଇନାଲ ହୋଇଗଲା I ମେସ ର କାନ୍ଥ କୁ ଲାଗି ଥିବା ଆମ୍ବ ଗଛ ଉପରେ ଲିଚୁ ଲାଇଟ ଲଗାଯିବାର ଯୋଜନା ହେଲା I ଜଣେ ପିଲା ଗଛ ଉପରେ ଚଢି ଗୋଟିଏ ପରେ ଗୋଟିଏ ଡାଳ ରେ ଲଗେଇ ଚାଲିଲା I ସରିଗଲା ପରେ ତଳକୁ ଓ଼ଲ୍ଳେହିଲା ବେଳେ ତା ଗୋଡ଼ରେ ଗୋଟେ କଣ୍ଟା ବାଜିଲା, ଯାହା କି ଗଛ ରେ ପିଟା ହୋଇଥିଲା I କିଏ ଗୋଟେ ଦୁଷ୍ଟ ପିଲା ଲଗେଇଥିବା ବୋଲି ଭାବି ସେ କଣ୍ଟା କୁ କାଢି ଫୋପାଡ଼ି ଦେଲା ଓ ତଳକୁ ଆସି ବାକି କାମ ରେ ମନ ଦେଲା I ଛାତ ଉପରେ ମାଷ୍ଟର ବଲବ ଲଗେଇଲା ପରେ ବି କୌଣସି ବି ଲାଇଟ ଧପ ଧପ ହେଉନି, କିନ୍ତୁ କାହିଁକି? ବହୁତ ସମୟ ପରୀକ୍ଷା ନିରୀକ୍ଷା କଲା ପରେ ବି କାହିଁକି କେଜାଣି ସେଟା କାମ କଲାନି I ହେଃ.. ଛାଡ଼.. କାଲି ଦେଖିବା କହି ସମସ୍ତେ ଘରକୁ ପଳେଇ ଆସି ଅନ୍ୟ କାମ ରେ ମନ ଦେଲେ I
ବେଳେ ବେଳେ କିଛି କିଛି ସାଙ୍ଗ ମାନେ ମଧ୍ୟ ଆସନ୍ତି ମେସ କୁ I ହସ, ଖେଳ, ଖଟି ସହ ତାସ ମାଡ ବି ହୁଏ I ଶୀତ ଦିନ, ତେଣୁ ବ୍ୟାଡ଼ମିଣ୍ଟନ ଖେଳ ବି ହୁଏ I ସେଦିନ ବ୍ୟାଡ଼ମିଣ୍ଟନ ଖେଳି ସାରି ଆସି ପୁଣି କିଛି ସମୟ ମାଷ୍ଟର ବଲବ ପଛରେ ଲାଗିଲେ ବି କିଛି ଲାଭ ହେଲାନି I ଛାଡ I ଏବେ କିଛି ସାଙ୍ଗ ମାନେ ଆଣିଥିବା କିଛି ଫୋଟୋ କମ୍ପୁଟର ରେ ଦେଖାଗଲା I ସ୍କ୍ରିନସେଭର ପାଇଁ କିଛି ଭଲ ଭଲ ଫୋଟୋ ବାଛି ରଖାଗଲା I (ଏହା ସେତେବେଳେ ର କଥା ଯେତେବେଳେ ଫ୍ଲପି ଡ୍ରାଇଭ ରେ ଫୋଟୋ ନେଣ ଦେଣ ହୁଏ I ଇଣ୍ଟେର୍ନେଟ କହିଲେ ୬୪ KBPS, ସେ ପୁଣି କେବଳ କଲେଜ ରେ ଥିଲା I 20GB ହାର୍ଡ ଡିସ୍କ ମାନେ ବହୁତ I କମ୍ପୁଟର ଗୋଟେ କିଣିବା ପାଇଁ ପାଖାପାଖି ୮୦,୦୦୦ ଟଙ୍କା ଲାଗୁଥିଲା ) 
ଫୋଟୋ ସବୁ ଦେଖି ସାରିଲା ପରେ ହଠାତ ଗୋଟେ ଫୋଟୋ ଉପରେ ନଜର ପଡିଲା ଯେଉଁଥିରେ ଗୋଟେ ପିଲା ର ପଛପଟେ ଗୋଟେ ଭୂତ ର ଫୋଟୋ ଥିଲା ଓ ଏ ଫୋଟଟି ବଲାଙ୍ଗୀର ର କେଉଁ ଏକ ଜଙ୍ଗଲ ରେ ଉଠା ଯାଇଥିଲା I ସେମାନେ ଭୋଜି କରିବାକୁ ଯାଇଥିଲେ I ଆସିଲା ପରେ କିଛି ଦିନ ରକ୍ତ ବାନ୍ତି କରି ପିଲାଟି ମରିଗଲା I ରିଲ (ସେତେବେଳେ ରିଲ ଵାଲା କ୍ୟାମେରା ଥିଲା) ଧୋଇ ସାରିଲା ପରେ ଏ ଫୋଟଟି ଲୋକଲୋଚନ କୁ ଆସି ଭାଇରଲ ହୋଇଗଲା I ତେବେ ଦେଖୁ ଦେଖୁ କେତେବେଳେ ଯେ କମ୍ପୁଟର ରେ ବାଜୁଥିବା ଗୀତ ବନ୍ଦ ହୋଇ ଯାଇଛି କାହାକୁ ଜଣା ନାହିଁ I ସମସ୍ତେ ଫୋଟ ଦେଖିବା ଓ ବାର୍ତାଳାପ ରେ ମଗ୍ନ I ହଠାତ ଜଣେ ପିଲା ଆବିଷ୍କାର କଲା ଯେ ଗୀତ କାହିଁକି ବାଜୁନି? କିଛି ସମୟ ପୂର୍ବରୁ ତ ବାଜୁଥିଲା I ହଉ, କାଳେ ବନ୍ଦ କରି ପୁଣି ଖୋଲିଲେ ବାଜିବ I କିନ୍ତୁ ନା, ଯେତେ ଚେଷ୍ଟା କଲେ ମଧ୍ୟ ଆଉ ଗୀତ ବାଜିଲାନି I କାଳେ ସାଉଣ୍ଡ କାର୍ଡ ରେ କିଛି ପ୍ରୋବ୍ଲେମ ଥିବ ବୋଲି ଭାବି ସବୁ ଖୋଲା ଖୋଲି କରି ଆଉ ଥରେ ସଜଡା ହେଲା I ସବୁ ପିଲା କମ୍ପୁଟର ବ୍ରାଞ୍ଚ ର, ତେଣୁ ଏସବୁ ତାଙ୍କର ନୀତି ଦିନିଆଁ କଥା I ଅଧଘଣ୍ଟେ ଗଲା, ଘଣ୍ଟେ ଗଲା କିଛି ଲାଭ ନାହିଁ I ହଉ, କାଲି ସକାଳୁ ଦୋକାନ କୁ ନେଲେ ଦେଖିବା I ଏବେ କମ୍ପୁଟର ରେ ଭୂତ ଫୋଟୋ କିଆଁ ରଖିବା ବୋଲି ଭାବି ତାକୁ ଡିଲିଟ କରିଦିଆଗଲା I ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଗୀତ ପୁଣି ଥରେ ଆରମ୍ଭ ହୋଇଗଲା I ଆରେ... ଏ କି କଥା ? ପୁଣି ଫୋଟୋ କପି କର - ଗୀତ ବନ୍ଦ I ଡିଲିଟ କର - ଗୀତ ଚାଲୁ I ସମସ୍ତେ ଆଶ୍ଚର୍ଯ୍ୟ I ଆଛା ତେବେ ଏଥିରେ କିଛି ଭାଇରସ ଥାଇପାରେ I ସମସ୍ତେ ଫ୍ଲପି ଦେଇଥିବା ପିଲା କୁ ଗାଳି କରିବାରେ ଲାଗିଲେ I ସେ ବି ତା ଫ୍ଲପି ଭଲ ଅଛି ବୋଲି ସଫେଇ ଦେବାକୁ ଲାଗିଲା, "ଏ ଫୋଟୋ ତ ଆହୁରି ବହୁତ ପିଲା ଏଇ ଫ୍ଲପି ରୁ କପି କରି ନିଜ ନିଜ କମ୍ପୁଟର ରେ ରଖିଛନ୍ତି I କାହାର କିଛି ଅସୁବିଧା ନାହିଁ I ତମ କମ୍ପୁଟର ରେ କିଛି ଥାଇ ପାରେ" I ଏ ସବୁ ଯୁକ୍ତି ପରେ ଫାଇନାଲ ହେଲା ଯେ ରିସ୍କ ନେବା ଦରକାର ନାହିଁ I ତେଣୁ ଫୋଟଟି ଡିଲିଟ କରାଯାଉ I କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଫୋଟୋ ଟି ଡିଲିଟ ହେଲା ନାହିଁ I ବହୁତ ଥର ଚେଷ୍ଟା କଲା ପରେ ବି ଫୋଟୋ ଟି ପୁଣି ଫେରି ଆସୁଥାଏ ଥରେ ମାତ୍ର ରିଫ୍ରେଶ ରେ I ଅନ୍ୟ ଉପାୟ ନ ପାଇ, କମ୍ପୁଟର କୁ କିଛି ସମୟ ବନ୍ଦ କରାଗଲା ଓ ପୁଣି କିଛି ସମୟ ପରେ ଖୋଲି ଫୋଟୋ ଟିକୁ ଡିଲିଟ କରିବାରୁ ଫୋଟୋ ଟି ଡିଲିଟ ହେଲା ....  

ଦୀପାବଳୀ ଆହୁରି ଚାରିଦିନ ବାକି I ମଝିରେ ମେସ ପିଲାଙ୍କ ଭିତରୁ ଜଣଙ୍କ ଭାଇ ବୁଲିବାକୁ ଆସିଲେ I ରାତିରେ ଗପ କରି ଶୋଉ ଶୋଉ ରାତି ପ୍ରାୟ ୨.୩୦ ହେବ I ସମସ୍ତେ ଶୋଇ ସାରିଲେଣି I ଝରକା ଖୋଲା I ମୃଦୁ ମୃଦୁ ପବନ ଧୀରେ ଧୀରେ ଝରକା ପଟେ ଆସୁଥାଏ I ଶୀତ ଦିନ ତ ଆରମ୍ଭ ପ୍ରାୟ I ଘୋଡେଇ ହେବା ଦରକାର ପଡୁ ନଥାଏ I ଫ୍ୟାନ ର ସ୍ପିଡ଼ ପ୍ରାୟ ୨ / ୩ ରେ ଚାଲୁଥାଏ I ରହି ରହି ଗୋଟେ ପିଲାର ଘୁଙ୍ଗୁଡ଼ି ଶବ୍ଦ ଶୁଣା ଯାଉଥାଏ I ତିନୋଟି ବଖରା ରେ ପ୍ରାୟ ନଅ ଜଣ ଶୋଇଥାନ୍ତି I ଘରଟିକୁ ଦୁଇ ଭାଗରେ ବିଭକ୍ତ କଲେ ଗୋଟେ ପଟେ ଦୁଇଟି ରୁମ I ବାହାରକୁ ଯିବାକୁ ବାଟ ସେଇପଟେ I ରୁମ ର ବାହାରେ ଆମ୍ବ ଗଛ I ଏପଟ ରୁମ ପାଖରେ ରୋଷେଇ ଘର I ଆର ଭାଗ ରେ ଆଗ ଗୋଟେ ଷ୍ଟୋର ରୁମ I ସେଥିରେ ଘର ମାଲିକ ର ଜିନିଷ ପତ୍ର ସବୁ ଥାଏ I ତାକୁ ଲାଗି ଆଉ ଗୋଟିଏ ରୁମ I ତା ପରେ ଦୁଇଟି ଗାଧୁଆଘର ଲାଗି ଲାଗି I ମଝିଟା ଡାଇନିଂ I ବାହାର ପଟେ ଗୋଟେ ଖୋଲା ଘର ଓ ସିଡ଼ି ଘର I ଚାରି ପଟେ ମାଙ୍କଡ଼ା ପଥର ର ପାଚେରୀ I ସବୁ ରୁମ ର ଝରକା ଗୁଡା ପାଚେରୀ କୁ ଲାଗିଛି I ହଠାତ କେମିତି ଗୋଟେ ରୁଣୁଝୁଣୁ ଶବ୍ଦ ଶୁଭିଲା...

 ଛମ ଛମ ଶବ୍ଦ...

କିଏ ଯେମିତି ଚାଲି ଚାଲି ଯାଉଛି....

ବୋଧ ହୁଏ କେହି ନବବଧୂ.....

କିନ୍ତୁ ଏତେ ରାତିରେ???

ହଁ, ହେଇଥିବ I ପଡୋଶୀଙ୍କ ବୋହୁ ଉଠିଥିବ ରାତିରେ, ପାଣି ପିଇବାକୁ ଅବା ପରିସ୍ରା ଯିବାକୁ I ଆସ୍ତେ ଆସ୍ତେ ରୁଣୁଝୁଣୁ ଶବ୍ଦ ଝରକା ପାଖକୁ ପାଖକୁ ଆସିବାର ଶୁଣା ଗଲା .....

 ଭାଇ ଜଣଙ୍କୁ ଟିକେ ଟିକେ ଡର ଲାଗିଲେ ବି ସେ ପତଳା ଚାଦର ଟି ମୁହଁ ଉପରେ ଦେଇ ଶୋଇବାକୁ ଚେଷ୍ଟା କଲେ I ଆସ୍ତେ ଆସ୍ତେ ପାଉଁଜି ର ରୁଣୁଝୁଣୁ ଶବ୍ଦ ପାଖେଇ ପାଖେଇ ଆସି ପୁଣି ଦୁରେଇ ଯିବାପରି ଲାଗିଲା I ଭାଇ ଜଣଙ୍କ ଏଥର ଉଠି ଝରକା ପଟେ ଡୁଙ୍ଗିଲେ....

କିନ୍ତୁ ପାଦ ପାଖ ଧଳା ଶାଢ଼ିଟିଏ ପରି ଦିଶିବା ବ୍ୟତୀତ ଆଉ କିଛି ଦୃଶ୍ୟ ହେଲାନାହିଁ I ତେବେ କେହିଜଣେ ଧଳା ଶାଢ଼ିଟିଏ ପିନ୍ଧି ପାଚେରୀ ଉପରେ ଚାଲି ଚାଲି ଯିବାର ଅନୁଭବ କଲେ I କିନ୍ତୁ ପରଦିନ ସକାଳୁ କାହାକୁ କିଛି ନ କହି ତାଙ୍କ କାମ ରେ ଚାଲିଗଲେ I 

ସେଦିନ ସେଇ ଘରେ ମେସ ପିଲାଙ୍କ ଭିତରୁ ଜଣେ ଶୋଇଥାଏ I ରାତି ପ୍ରାୟ ୧୨ ଟା ହେବ I ଅନ୍ୟ ମାନେ ଅନ୍ୟ ଘରେ ତାସ ଖେଳୁଥାନ୍ତି ଓ ଅନ୍ୟ ତିନିଜଣ କମ୍ପୁଟର ରେ ଗେମ I ହଠାତ ଗୋଟେ କୁଁ କୁଁ ଶବ୍ଦ ଶୁଣାଗଲା I ତା ପରେ ଓଃ.. ଏ..ଏ..ଏ.. ପରି ଛୋଟ ଚିତ୍କାର....

 ସମସ୍ତେ ଉଠି ପିଲାଟି ଶୋଇଥିବା ରୁମ କୁ ଧାଇଁଲେ I ପିଲାଟି ଶୋଇ ଛଟପଟ ହେଉଥାଏ I ସ୍ବପ୍ନ ଦେଖୁଛି ବୋଧେ I ସମସ୍ତେ ତାକୁ ଉଠେଇବାକୁ ଚେଷ୍ଟା କଲେ I କିଛି ସମୟ ପରେ ଉଠିଲା I ଉଠୁ ଉଠୁ ଆଗ ବୋତଲ ରୁ ଅଧା ବୋତଲ ପାଣି ପିଇ ପକେଇଲା I ସମସ୍ତେ ତାକୁ ଗାଳି କରିବାକୁ ଲାଗିଲେ, "ଶଳା, ସ୍ବପ୍ନ ଦେଖି ବିଳିବିଳେଇ ହଉଛୁ I ଆମ ଖେଳ ର ମୁଡ଼ ଭାଙ୍ଗିଦେଲା, ଛେ.. " I 

ପିଲାଟି ଟିକେ ସାଷ୍ଟାମ ହେଲା ପରେ କହିଲା, "ମୋତେ କିଏ ଜଣେ ମାଡି ବସିଥିଲା... 

ମୁଁ ଉଠିବାକୁ ଚେଷ୍ଟା କରୁଛି କିନ୍ତୁ କିଏ ଜଣେ ମାଡି ବସିଛି.... 

ବସିବାକୁ ଚେଷ୍ଟା କରୁଛି କିନ୍ତୁ ଉଠି ପାରୁନି... 

ପାଟିକରିବାକୁ ଚେଷ୍ଟା କରୁଛି କିନ୍ତୁ ଡାକ ଶୁଣା ଯାଉନି... 

କଥା ବାହାରୁନି ପାଟିରୁ ..." 

      ସମସ୍ତେ ତା କଥାକୁ ହସ ରେ ଉଡେଇ ଦେଲେ I "ଆମକୁ ତ କାହିଁ କେହି ମାଡି ବସୁ ନାହାନ୍ତି I ତୁ ଶଳା ସ୍ବପ୍ନ ରେ ବିଳିବିଳେଇ ହଉଛୁ I କିଏ କିରେ? ସୁନ୍ଦରୀ ଝିଅ ଥିଲା ନା ବୁଢ଼ୀ ମାଇକିନା?" ହୋ ହୋ ହସ ଆଉ କଟାକ୍ଷ ରେ ପିଲାଟି ବିଚରା ଚୁପ ରହିଲା I କିନ୍ତୁ ତା ପରଠୁ ସବୁଦିନ ଶୋଇବାକୁ ଯିବା ପୂର୍ବରୁ ବାଇବେଲ (ପିଲାଟି ଖ୍ରୀଷ୍ଟିଆନ) ରୁ ଦି ତିନିଟି ପାରା ପଢି, ମୁଣ୍ଡିଆ ମାରି, ବାଇବେଲ କୁ ତକିଆ ତଳେ ରଖି ଶୋଇବାକୁ ଯାଏ I 

ଦୀପାବଳୀ ପୂର୍ବଦିନ, ସବୁ ଜିନିଷ ଯୋଗାଡ଼ ହୋଇଗଲା I ଚାରିଜଣ ପିଲା ଯାଇ ବାଣ ନେଇ ଆସିଲେ I ଲାଇଟ ସବୁ ସେମିତି ବିନା ଧପ ଧପ ରେ ଚାଲି ଥାଏ I ବାଣ ଗୁଡିକୁ ଛାତ ଉପରେ ଖରା ରେ ରଖାଗଲା I କାଲି ଦୀପାବଳୀ I ଆଉ ଗୋଟେ ଦିନ ଖରା ଦେଲେ ଭଲ ଫୁଟିବ I ଦେଖୁ ଦେଖୁ ଦୀପାବଳୀ ବି ଆସିଗଲା I ସମସ୍ତେ ଉତ୍କଣ୍ଠା ର ସହ ସନ୍ଧ୍ୟା କୁ ଅପେକ୍ଷା କରିଥାନ୍ତି I କେତେବେଳେ ସନ୍ଧ୍ୟା ହେବ I ଚାହୁଁ ଚାହୁଁ ଦିନ ସରି ସନ୍ଧ୍ୟା ହେଲା I ଘର ର ଦୁଆର ପାଖରେ ଦୁଇଟି ଦୀପ ଥୋଇ ବାଣ ଫୁଟା ଆରମ୍ଭ ହେଲା I ସେପଟେ ରୋଷେଇୟା ପିଲାକୁ କୁହା ଯାଇଥାଏ ପୁରି ଓ ଆଳୁଦମ କରିବା ପାଇଁ I ରୋଷେଇୟା ପିଲାଟି ପୁରି ଆଳୁଦମ କରି ସାରି ଘୋଡେଇ ଗ୍ୟାସ ଉପରେ ଜାଗା ସବୁ ରଖି ନିଜ ଘରକୁ ପଳେଇଲା I ଏପଟେ ବଣ୍ଟି ଓ ତା ସାଙ୍ଗ ମାନଙ୍କର ବାଣ ଫୁଟା ଚାଲୁ ରହିଲା I ଦେଖୁ ଦେଖୁ ରାତି ଦଶଟା ବାଜିଲା I ବାଣ ସବୁ ସରି ସରି ଆସୁଥାଏ I ଶେଷରେ ଫୁଟା ହେବାପାଇଁ ଗୋଟେ ବଡ କୁଂପି ବାଣ ରଖା ଯାଇଥାଏ I ବାଣ ଟି ପ୍ରାୟ ସୁରେଇ ଆକାରର ବଡ I ତେଣୁ ଶେଷ ରେ ରାତି ପ୍ରାୟ ୧୧.୩୦ -- ୧୨ ଟା ବେଳକୁ ସେଟା ଫୁଟା ଯିବ I ଆଉ କେବଳ ବରଡା ବାଣ ତକ ଥାଏ I ସେଗୁଡା ଫୁଟେଇବାକୁ ଟିକେ ଅଧିକ ଟାଇମ ଲାଗେ I ମଝିରେ ସମସ୍ତଙ୍କୁ ଭୋକ ଲାଗିଲା I ଜଣେ ପରେ ଜଣେ ଆସିଲେ ଖାଇବା ପାଇଁ I ଗୋଟେ ପିଲା ରୋଷେଇ ଘରକୁ ଆସିଲା ବେଳକୁ ପୁରି ଡେ଼କଚି ଟି ତଳେ ଓଲଟା ହୋଇ ପଡିଥାଏ I ଢାଙ୍କୁଣୀ କିନ୍ତୁ ବନ୍ଦ ଥାଏ I ପାଖରେ ତିନୋଟି ପୁରି, ଡେ଼କଚି ରୁ ବାହାରି ବାହାରେ ପଡିଥାଏ ଓ କିଏ ଜଣେ ସେଥିରୁ ଗୋଟେ ଥର ଖଣ୍ଡିଆ କରି ଖାଇବା ପରି ଲାଗୁଥାଏ I ପିଲାଟି ନିଜ ପାଇଁ ପୁରି ବାହାର କଲା I ଖଣ୍ଡିଆ ପୁରି ଗୁଡିକୁ ଡଷ୍ଟ ବିନ ରେ ପକେଇ ଦେଲା I ପୁରି ଡେ଼କଚି କୁ ପୁଣି ଥରେ ଗ୍ୟାସ ଉପରେ ରଖି କିଛି ଆଳୁଦମ ନେଇ ଆର ଘରକୁ ଗଲା ଖାଇବା ପାଇଁ I ଆଉ ଜଣେ ଆସିଲା କିଛି ସମୟ ପରେ I ପ୍ରାୟ ୧୫ ମିନିଟ ପରେ I ଏଥର ବି ପୁରି ଡେ଼କଚି ଓଲଟା ହୋଇ ପଡିଥାଏ I ଖଣ୍ଡିଆ ପୁରି ବାହାରି ତଳେ କିନ୍ତୁ ଡେ଼କଚି ର ଢାଙ୍କୁଣୀ ବନ୍ଦ I ସେ ଭାବିଲା ବିଲେଇ ବୋଧେ ପକେଇ ଦେଇଛି I ସେ ବି ଖଣ୍ଡିଆ ପୁରି ଗୁଡିକ ଡଷ୍ଟବିନ ରେ ପକେଇ ନିଜ ପାଇଁ ଖାଇବା ଧରି , ଡେ଼କଚି କୁ ପୁଣି ଗ୍ୟାସ ଉପରେ ରଖି ଆର ଘରକୁ ଗଲା ଖାଇବା ପାଇଁ I ଏଥର କିଛି ସମୟ ପରେ ପ୍ରଥମ ପିଲା ଆସିଲା ଆଉ କିଛି ପୁରି ନେବା ପାଇଁ I ପ୍ରଥମ ଥର ପରି ଏଥର ବି ଡେ଼କଚି ଓଲଟି କରି ପଡିଥାଏ I ତା ରାଗ ପଞ୍ଚମ କୁ ଉଠିଗଲା I ଚିଲ୍ଲେଇ କରି ସମସ୍ତଙ୍କୁ ଡାକ ପକେଇଲା ଓ କିଏ ଏମିତି କରିଛି କହି ଗାଳି ଦେବାକୁ ଲାଗିଲା I ବିଶେଷ କରି ଦ୍ଵିତୀୟ ରେ ଖାଇବା ନେଇଥିବା ପିଲାଟିକୁ I ଦ୍ଵିତୀୟ ପିଲା ଟି ନିଜକୁ ନିର୍ଦୋଷ ବୋଲି ସଫେଇ ଦେଉଥାଏ ଓ ସେ ଏହିପରି ପଡିଥିବାର ଦେଖି ତିନୋଟି ପୁରି ଡଷ୍ଟବିନ ରେ ପକେଇଛି ବୋଲି କହି ପ୍ରମାଣ ସ୍ୱରୂପ ଡଷ୍ଟ ବିନ ଆଡକୁ ଗଲା I ପ୍ରଥମ ପିଲାଟି ରାଗ ତମ ତମ ହୋଇ, "ତୁ ନୁହଁ ମୁଁ ପକେଇଛି" I

 ଡଷ୍ଟବିନ ରେ ଦେଖିଲା ବେଳକୁ ଗୋଟେ ବି ପୁରି ନଥିଲା ଡଷ୍ଟବିନ ରେ ....

ଏବେ ପୁରି ଗଣନା ଆରମ୍ଭ ହେଲା I ଆଠ ଜଣ ପିଲାଙ୍କ ପାଇଁ ଅଶି ଟି ପୁରି କରା ଯାଇଥିଲା I ଦି ଜଣ ଛଅ ଛଅ ଟି କରି ଖାଇ ସାରିଲା ପରେ ଓ ତିନୋଟି ପୁରି ବାହାରେ ପଡିଲା ପରେ ବି ଡେ଼କଚି ରେ ଏବେ ଅଶୀଟି ପୁରି ଥିଲା I ରୋଷେଇୟା ବୋଧେ ଭୁଲ ରେ ଅଧିକ କରି ଦେଇଛି I "ଛାଡ !!! ଖାଇଲେ ଗଲା, କିଏ ଦେଖୁଛି" ବୋଲି କହି ଅନ୍ୟ ମାନେ ଏବେ ସମସ୍ତେ ଖାଇ ବସିଲେ ଓ ଖାଇ ସାରି ପୁଣି ବାଣ ଫୁଟା ରେ ମନ ଦେଲେ I ଏବେ ଆସିଲା କୁଂପି ବାଣ ଟି ଫୁଟେଇବାର ସମୟ I ପଡିଆ ମଝିରେ ଯାଇ ଫୁଟେଇବା ପାଇଁ ସଜ ହେଲେ I ପଡିଆ ମଝିକୁ ଯାଇ ବାଣ ଟି ଅଧା ମାଟିରେ ପୋତି ସେଥିରେ ନିଆଁ  ଲଗା  ଗଲା I ପ୍ରାୟ ଅଧା ଘଣ୍ଟା ବାଣ ଟି ଫୁଟି ସାରିଲା ପରେ ହଠାତ ଢ଼ୋ କରି ଫୁଟିଲା ଓ ନିଆଁ ସବୁ ସବୁଆଡେ ବିଛାଡ଼ି ହୋଇ ପଡିଲେ I ଆହୁରି ଫୁଟିଥାନ୍ତା I ସାଇଡ ରୁ ଟିକେ ଫାଟି ଯାଇଥିଲା ବୋଧେ I ହେଃ.. ବେକାର ହେଇଗଲା I ଆହୁରି ଅଧଘଣ୍ଟେ ଉପରେ ଫୁଟିଥାନ୍ତା ପରି ମନ୍ତବ୍ୟ ଦେଇ ସମସ୍ତେ ମନ ଦୁଃଖ କଲେ I ଏବେ ଘରକୁ ଫେରିବାର ବେଳ I ଘର ମୁହାଁ ହୋଇ ଦେଖିଲା ବେଳକୁ ଘର ଚାରିପାଖରେ ଧୂଆଁ ଭର୍ତି I ଘରଟି ଯେମିତି ଭୂତ କୋଠି ପରି ଲାଗୁଥାଏ I ଅନ୍ୟ ସବୁ ଆଡେ ଅଳ୍ପ ଧୂଆଁ ମିଶା କୁହୁଡି ଥିବା ବେଳେ, ଘର ର ଚାରି ପାଖରେ ଧୂଆଁ ରେ ଭର୍ତି I ଏପରିକି ମାତ୍ର ପଚାଶ ମିଟର ଦୂରରୁ ବି ଲିଚୁ ଲାଇଟ ଗୁଡିକ ଦେଖା ଯାଉ ନଥାଏ I ସମସ୍ତେ ଉପରକୁ ଟାଣ ଦେଖେଇଲେ ବି ପଛ ପିଳେହି ପାଣି ହୋଇ ସାରିଥିଲା I ଆହୁରି ପାଖ କୁ ପାଖାପାଖି ଦଶ ମିଟର ପାଖକୁ ଆସିବା ରୁ ଆସ୍ତେ ଆସ୍ତେ ଲିଚୁ ଲାଇଟ ଗୁଡିକ ଦେଖା ଗଲେ ହେଲେ ଏ କଣ? ସବୁ ଗୁଡିକ ଧପ ଧପ ହେଉଥିଲେ I ଦୀର୍ଘ ସାତ ଦିନ ହେଲା ଯେଉଁ ଲିଚୁ ଗୁଡିକ ମୂଳରୁ ଥରେ ବି ଧପ ଧପ ହେଇ ନଥଲା ଏବେ ସେଗୁଡିକ ଆଖି ମିଟିକା ମାରି ଖତେଇ ହେଲା ପରି ଲାଗୁଥିଲେ I ଆଉ କାହାର ସାହସ ନଥିଲା ଛାତ ଉପରକୁ ଯାଇ ଲାଇଟ ଗୁଡିକୁ ବନ୍ଦ କରିବା ପାଇଁ .......

     ଆସ୍ତେ ଆସ୍ତେ ଏହିପରି ଆହୁରି କାର୍ଯ୍ୟ କଳାପ ସବୁ ନଜର ଆସିବାକୁ ଲାଗିଲେ I ଯେମିତି ରାତି ବାରଟା ରେ ସମସ୍ତେ ଗୋଟେ ଘରେ ବସି ଗପ ସପ କରୁଥାନ୍ତି I କିଏ ଜଣେ ଧଳା ଚାଦର ଘୋଡେଇ ହୋଇ ଝରକା ପଟେ ଚାଲି ଚାଲି ଗଲା... 

ବଡ ଝରକାଟିର ଚାରୋଟି କବାଟ I ଦୁଇଟି କବାଟ ଅତିକ୍ରମ କଲା କିନ୍ତୁ ଆଉ ଦୁଇଟି ଅତିକ୍ରମ କଲା ନାହିଁ I ସମସ୍ତେ ବାହାରକୁ ଯାଇ ଦେଖିଲା ବେଳକୁ ସେଠାରେ କେହି ନଥିଲେ ...

ରାତି ଅଧାରେ ଝରକା ଖୋଲା ଥାଏ, ଚାରିଆଡେ ନିସ୍ତବ୍ଦ I ହଠାତ ବାଲି ଗୋଡି ଆସି ଝରକା ପାଖରେ ଶୋଇ ଥିବା ପିଲା ଉପରେ ପଡେ.... କିଏ ଜଣେ ବାହାରୁ ଫିଂଗୁଛି ବୋଲି ଭାବି ସାହସ କରି ବାହାରକୁ ଗଲା ବେଳକୁ କେହି ନଥାନ୍ତି ....  

    ସେଦିନ ରାତି ପ୍ରାୟ ୨.୪୫ I ଜଣେ ପିଲା ପରିସ୍ରା ଉଠିଲା I ପ୍ରଥମ ଟଏଲେଟ କୁ ଗଲା ବେଳକୁ ଭିତର ପଟୁ କବାଟ ବନ୍ଦ ଅଛି I ସେ ଆର ଟଏଲେଟ କୁ ଗଲା ବେଳକୁ ତା ଉପରେ ଉପରୁ କିଛି ପାଣି ପଡିଲା I ସମସ୍ତେ ଶୋଇଥାନ୍ତି I ଝିଟିପିଟି ମୁତିଲା କି ଆଉ? ଲାଇଟ ଜଳେଇ ଉପରକୁ ଦେଖିଲା ବେଳକୁ କିଛି ଦିନ ପୂର୍ବରୁ ପେଟ୍ରୋଲ ଆଣିଥିବା ଖାଲି ବୋତଲ, ଯେଉଁଟା କି ସିଡ଼ି ଘର ର ଗୋଟେ କୋଣ ରେ ପଡିଥଲା ସେଟା ଥାକ ଉପରେ ଗଡୁଛି ଓ ସେଥିରୁ କିଛି ପାଣି ବାହାରି ୟା ମୁଣ୍ଡରେ ପଡିଛି I ହାଉଳି ଖାଇ ବୋପାଲୋ ମା ଲୋ ଡାକି ଶୋଇବା ଘରକୁ ଦୌଡ଼ି ଆସିଲା ବେଳକୁ ପ୍ରଥମ ଟଏଲେଟ ଟି ଖୋଲା ଅଛି ଓ ପବନ ରେ ତା କବାଟ ଦୋହଲୁଛି ....

 ସେ ଆହୁରି ଡରିଗଲା I ଘରେ ପଶୁ ପଶୁ ବଣ୍ଟି ଉପରେ ହାମୁଡେଇ ହୋଇ ପଡିଲା I
ବଣ୍ଟି ନିଦରୁ ଉଠି ତାକୁ କଣ ହେଲା ବୋଲି ପଚାରିଲା I ତା ତଣ୍ଟି ଶୁଖି ଯାଉଥାଏ I ଆସ୍ତେ ଆସ୍ତେ ଖଣ୍ଡି ଖଣ୍ଡି ସ୍ୱର ରେ କହିଲା, "ଭୂ... ତ...  " I 
: ଚାଲିଲୁ ବାହାରକୁ I 
: ନା I 
: ଆବେ କିଛି ନାହିଁ, ମୁଁ ଅଛି I ଆସେ I
: ନା I
ବଣ୍ଟି ବାହାରକୁ ଆସି ଦେଖିଲା ବେଳକୁ କେହି କୁଆଡେ ନାହାନ୍ତି I ନିରୀକ୍ଷଣ କରି ଦେଖିଲା ସତରେ ପେଟ୍ରୋଲ ର ଖାଲି ବୋତଲ ଟା I ସେ ତ ନିଜେ ଆଜି ଏଇଟା ସିଡ଼ି ଘରେ ପକେଇ ଥିଲା I ଏଠିକୁ କେମିତି ଆସିଲା I ପୁଣି ସେଥିରେ ପାଣି ? ସବୁ ପିଲା ତ ଏଇଥିରେ ପେଟ୍ରୋଲ ଆଣନ୍ତି, ପାଣି ତ କେହି ପୂରେଇବେନି I ଭୂତ କୁ ବିଶ୍ୱାସ କରୁ ନଥିବା ବଣ୍ଟି ଟିକେ ଚିନ୍ତା ରେ ପଡିଗଲା I ହେଃ.. ଛାଡ଼... କହି ବୋତଲ କୁ କବାଟ ଖୋଲି ବାହାରକୁ ଫିଙ୍ଗି ଦେଲା I ଆଉ ପୁଣି ଥରେ ଆସି ତା ଜାଗାରେ ଶୋଇ ପଡିଲା I ପିଲାଟି ସେତେବେଳେ କୁ ଡର ରେ ଥରୁ ଥାଏ I ତା ହାତ ଉପରେ ହାତ ରଖି, "ମୁ ଅଛି ବେ, ଡରନି... ଶୋ" ବୋଲି କହି ଶୋଇ ପଡିଲା I ପରଦିନ ସକାଳୁ ମେସ ର ସମସ୍ତେ ଜାଣିଲା ପରେ, କିଛି କିଛି ମାତ୍ର ରେ ଅଶ୍ଵସ୍ତି ଅନୁଭବ କଲେ I କେମିତି ଗୋଟେ ମାଡି ମାଡି ପଡିଲା I ଭୂତ ? କିଛି କିଛି ଡର ମଧ୍ୟ ବସା ବାନ୍ଧିବାକୁ ଲାଗିଲା I ବଣ୍ଟି କୁ ସମସ୍ତେ ବାଃ ବାଃ କଲେ I 
: ତୋତେ ଡର ଲାଗିଲାନି ?
: ମୁଁ ଡରେ ନି I 
: ସତରେ ?
: ହଁ I

  ଧୀରେ ଧୀରେ କଥା ଟା ଏକାନ ସେକାନ ହୋଇ ଆଖ ପାଖ ସାଇ ପଡିସା ସମସ୍ତେ ଜାଣିଲେ I ପଡୋଶୀ ଜଣଙ୍କ ଏ କଥା ଶୁଣିଲା ପରେ ଦିନେ ମେସ ର ଦୁଇ ଜଣଙ୍କୁ ଡାକି ସତ କଥା କହିଲେ I କିଛି ଦିନ ହେଲା ଆମେ ନିଶ୍ଚିନ୍ତ ରେ ଥିଲୁ I କାରଣ ଏ ଭୂତ ଟିକୁ ଆମ୍ବ ଗଛରେ କଣ୍ଟା ବାଡେଇ କିଳା ଯାଇଥିଲା I ୟା ପୂର୍ବରୁ ସେ ତମ ଘର ମାଲିକ ଝିଅ ଦେହରେ ଆସୁଥିଲା ଓ ହଇରାଣ କରୁଥିଲା I ସେଥିପାଇଁ ଘର ମାଲିକ ଘର ଛାଡି ଏଠୁ ମାତ୍ର ଦୁଇ କିମି ଦୂରରେ ଘର ଭଡା ଦେଇ ରହୁଛି I ଆମେ ବି ସନ୍ଧ୍ୟା ହେଲେ ଏପଟ ର କବାଟ ର ବନ୍ଦ କରି ଭିତରେ ରହୁ I ଏବେ ପୁଣି କେମିତି ସେ ଫିଟି ଯାଇଛି I ଆମେ ବି କିଛି ଦିନ ହେଲା ଅନୁଭବ କରୁଛୁ କିନ୍ତୁ ତମେ ମାନେ ଡରିବ ବୋଲି କିଛି କହୁ ନଥିଲୁ I

ପିଲା ଦିଜଣ ପୁରା ଘଟଣା କ'ଣ ଜାଣିବାକୁ ଚାହିଁଲେ..

ପୁରା ଘଟଣା ଟି ଏହିପରି ...

 ଏ ଘର ଟି ପ୍ରତିଷ୍ଠା କରି ଘର ମାଲିକ ଓ ପରିବାର ଏ ଘରେ ରହିବା ପାଇଁ ଆସିଲେ I କିଛି ଦିନ ପରେ ତାଙ୍କ ଝିଅ ର ଦେହ ଖରାପ ହେଲା I ତା ବୟସ ପ୍ରାୟ ୭-୮ ବର୍ଷ ହେବ I ନୂଆ ଜାଗା ଯୋଗୁଁ ବୋଧହୁଏ ହେଉଛି ବୋଲି ଭାବି ସେମାନେ କିଛି କିଛି ଔଷଧ, ଦୋକାନ ରୁ କିଣି ଝିଅ କୁ ଖାଇବାକୁ ଦେଲେ I ହେଲେ ଦେହ ଭଲ ହେଲାନି I ସେମାନେ ଡାକ୍ତର କୁ ଦେଖେଇଲେ I ଡାକ୍ତର ଠୁ ଔଷଧ ଖାଇଲା ପରେ ବି ଦେହ ଭଲ ହେଲାନାହିଁ I ଔଷଧ ପ୍ରଭାବ ରୁ ଦେହ ଟିକେ ଭଲ ହେଲେ ବି ପୁଣି କିଛି ଦିନ ପରେ ସେ ଜର ରେ ପଡେ ଆଉ ଅସ୍ପଷ୍ଟ ସ୍ୱର ରେ କିଛି କିଛି ବିଳିବିଳେଇ ହୁଏ I  ଏମିତି ପ୍ରାୟ ଦେଢ଼ ମାସ ପରେ ହଠାତ ଦିନେ ରାତି ଅଧା ରେ ଝିଅ ଟି ଉଠି ପାଗଳ ଙ୍କ ପରି ପ୍ରଳାପ କରିବାକୁ ଲାଗିଲା I ବାଳ କୁ ମୁକୁଳା କରି ଅସ୍ପଷ୍ଟ ଭାଷାରେ କିଛି କିଛି କହିବାକୁ ଲାଗିଲା ଓ ହାତରେ ଯାହା ପଡିଲା କବାଟ ବାହାରକୁ ଫିଙ୍ଗିବାକୁ ଲାଗିଲା I ଘର ମାଲିକ ଓ ତାଙ୍କ ସ୍ତ୍ରୀ ଡରି ଯାଇ , ରାତିଟି ଯାହିତାହି କରି କାନ୍ଦି କୁନ୍ଥେଇ ବିତେଇଲା ପରେ ସକାଳୁ ସକାଳୁ ଏଠୁ ପ୍ରାୟ ୨୫ କିମି ଦୂରରେ ଥିବା ଜଣେ ବାବାଙ୍କ ପାଖକୁ ନେଇ କି ଗଲେ I ଏମାନଙ୍କୁ ଦେଖୁ ଦେଖୁ ସେ ମୁହଁ ବୁଲେଇ ନେଲେ, ଝିଅ କୁ ଦେଖି, ନ ଦେଖିଲା ପରି କହିଲେ, "ଯା, ମୁଁ କାଲି ଆସିବି ତୋ ଘରକୁ I କିଛି ସିନ୍ଦୁର ଦେଇ କହିଲେ ୟା କୁ ତକିଆ ତଳେ ଦେଇ ଝିଅ କୁ ଶୋଇ ଦେବୁ I ମୁଁ କାଲି ଆସିବି " I  
ପରଦିନ ବାବା ଆସି ପହଁଚିଲେ I ଝିଅ କୁ ଦେଖି ଓ ଘର ର ଆଖ ପାଖ ସବୁ ଦେଖି କିଛି ସନ୍ଦେହ କଲେ I ପଚାରୁ ପଚାରୁ ଜଣାଗଲା ଯେ, ଘର ର ନିଅଁ ଖୋଲିଲା ବେଳକୁ ମାଟି ତଳୁ କିଛି ହାଡ ଓ ଚପଲ ପରି ଜିନିଷ ସବୁ ବାହାରିଥିଲା I ମାଲିକ ଓ ମୁଲିଆ ମାନେ କାଳେ ପୋଲିସ କେଶ କିଛି ହେବ ବୋଲି ତାକୁ ଆହୁରି ଖୋଳି ପୋତି ଦେଲେ ଓ ତା ଉପରେ ଘର ତିଆରି କରିଦେଲେ I 
ଏବେ ଝିଅକୁ ଆଣିଲେ I ଝିଅଟି କେମିତି ଗୋଟେ ଅଲଗା ଦିଶୁଥାଏ I କିଛି ମନ୍ତୁରା ପାଣି ତା ଉପରେ ପକେଇବାରୁ ସେ ରାଗିଗଲା ଓ ବାବାକୁ ମାରିବାକୁ ହାଇଁ ପାଇଁ ହେଲା I ବାବା, କିଛି ସିନ୍ଦୁର ହାତରେ ଧରି ତାକୁ ପଚାରିଲେ ତୁ କିଏ? ଏଠି କାହିଁକି ଅଛୁ? ସେ ଯାହା କହିଲା ସେଥିରେ ସମସ୍ତଙ୍କ ହୋସ ଉଡ଼ିଗଲା I 
ଏହା ପ୍ରାୟ ୧୯୭୦-୭୫ ମସିହା ର କଥା I ସେତେବେଳେ ଏ ଆଖପାଖରେ କୌଣସି ଘରଦ୍ୱାର ନଥିଲା I କେବଳ ପଡିଆ ଆରପଟେ ପୋଲିସ ବ୍ୟାରେକ I ସେଠି ରିଜର୍ଭ ପୋଲିସ ମାନେ ସବୁ ଆସି ରୁହନ୍ତି I ପ୍ରାୟ ସମୟ ସେ ଘର ସବୁ ଖାଲି ଥାଏ I କେବଳ କିଛି କିଛି ବିଶେଷ ପୂଜା ପାର୍ବଣ ସମୟରେ ବହୁତ ପୋଲିସ ଆସନ୍ତି ତା ପରେ ସବୁ ଖାଲି, କେବଳ ଦୁଇ ତିନିଜଣ ଗାର୍ଡ ଙ୍କୁ ଛାଡି ପୁରା ହଷ୍ଟେଲ ଫାଙ୍କା I ସେଥର ବି ପୂଜା ବେଳକୁ କିଛି ରିଜର୍ଭ ପୋଲିସ ଆସିଥିଲେ I ପୂଜା ସରିଗଲା ପରେ ବି ଦୁଇ ଜଣ ଥିଲେ ହଷ୍ଟେଲ ରେ I ଦୁଇ ଦିନ ପରେ ସେମାନଙ୍କୁ ଘରକୁ ଯିବାର ଥିଲା I ଏ ଜାଗା ସବୁ ସେତେବେଳେ ଜଙ୍ଗଲ ଥାଏ I ମୋ ବୟସ ୧୬-୧୭ ହେବ I ଏଠୁ ପ୍ରାୟ ଦୁଇ କିମି ଦୂରରେ ଆମ ଘର I ସେଦିନ ମା ଉପରେ ରାଗି ମୁଁ ଏପଟକୁ ଚାଲି ଆସିଲି I ବୁଦୁବୁଦୁକିଆ ଜଙ୍ଗଲ ସହ କିଛି କିଛି ବଡ ଗଛ ଥାଏ ଏ ଜାଗାରେ I ଏଠିକୁ ଆସି ମୁଁ ଏକା ଏକା ବୁଲୁଥାଏ I ସେ ହଷ୍ଟେଲ ପାଖରେ ପୋଲିସ ଦୁଇ ଜଣ ବସିଥାନ୍ତି I ମୋତେ ଦେଖି ମୋ ପାଖକୁ ଆସିଲେ ଓ ମୁଁ କିଏ ଓ ଏଠିକୁ କାହିଁକି ଆସିଛି ବୋଲି ପଚାରିଲେ I ମୁଁ କହିଲି ମା ଉପରେ ରାଗି ମୁଁ ଏପଟକୁ ଆସିଛି I ଆରପଟେ ଆମ ଘର I କିଛି ନକହି ସେମାନେ ମୋ ମୁହଁ ବନ୍ଦ କରି ଗୋଟେ ଗଛ ପଛ ପଟକୁ ଟେକି ନେଲେ ଓ ବଳାତ୍କାର କଲେ I ମୁଁ ଯେତେ କାନ୍ଦି ବୋବେଇ ନେହୁରା ହେଲେ ବି ମୋତେ ଛାଡିଲେନି I ତାଙ୍କ ମନ ସନ୍ତୁଷ୍ଟ ହୋଇ ଯିବାପରେ ତାଙ୍କର ବୁଦ୍ଧି ପଶିଲା I ଡର ଲାଗିଲା I ଏବେ କଣ କରିବେ ବୋଲି ଭାବି ହେଲେ I ଏଣେ ମୁଁ କାନ୍ଦୁଥାଏ ଓ ସମସ୍ତଙ୍କୁ କହି ଦେବି ବୋଲି ତାଙ୍କୁ ଧମକ ଦେଉଥାଏ I ସେମାନେ କଣ କରିବେ ବୋଲି ଭାବି ମୋ ଓଢଣୀ ରେ ମୋ ତଣ୍ଟି ଚିପି ମାରି ଦେଲେ ଆଉ ସେଇ ଗଛ ମୂଳରେ ମାଟି ଖୋଳି ପୋତି ଦେଲେ I କିଛି ଦିନ ଖୋଜା ଖୋଜି ପରେ ମୋ ମା ବାପା ବି ଚୁପ ରହିଗଲେ I ମୁଁ ବି ଆଉ କିଛି କରି ପାରିବିନି ବୋଲି ଭାବି ଏ ମାଟି ତଳେ ପଡି ରହିଥିଲି I କିନ୍ତୁ ୟେ, ଘର ର ନିଅଁ ଖୋଲିଲା ବେଳେ ମୋତେ ଉଠେଇଲା ଓ ପୁଣି ଆହୁରି ମାଟି ଖୋଳି ମୋତେ ପୋତିଦେଲା I ମୁଁ ସେ ରାକ୍ଷସ ଗୁଡ଼ାକର ତ କିଛି କ୍ଷତି କରି ପାରିଲି ନାହିଁ, ହେଲେ ୟେ? ମୋ ହାଡ ଦେଖି ପୋଲିସ ଓ ଲୋକ ମାନଙ୍କୁ କହିବା ବଦଳରେ ମୋତେ ପୁଣି ପୋତି ଦେଲା I ତେଣୁ ୟେ ବି ସମ ପରିମାଣ ରେ ଦୋଷୀ I ତେଣୁ ମୁଁ ୟା ଝିଅ କୁ ମାରି ଦେବି I ଏତିକି କହି ସେ ପୁଣି ବାଳ ମୁକୁଳା କରି, ନିଜ ବାଳ ନିଜେ ଛିଣ୍ଡେଇ ମୁଣ୍ଡ କୁ ରକ୍ତାକ୍ତ କରି ପକେଇଲା I ବାବା ଜଣଙ୍କ କିଛି ସିନ୍ଦୁର ତା ଉପରେ ପକେଇବାରୁ ସେ ସେ ଶାନ୍ତ ହେଲା ଓ ଠିଆ ଠିଆ ତଳେ ଖସି ପଡିଲା I ଝିଅ କୁ ଖଟ ରେ ଶୁଏଇ ଦେଇ ଘର ମାଲିକ ଓ ତାଙ୍କ ସ୍ତ୍ରୀ ସେଦିନ ବାବା ର ଗୋଡ ଧରି ପକେଇଲେ ଓ ଏଥିରୁ ମୁକ୍ତି ଦେବାକୁ ଅନୁରୋଧ କଲେ I ବାବା ପରଦିନ ଆସିବେ ଓ କିଛି ଏକ ପୂଜା ର ଆୟୋଜନ କରିବା ପାଇଁ ଉପଦେଶ ଦେଇ ଚାଲିଗଲେ I ପରଦିନ ବିଶେଷ ପୂଜା କରି, ଏ ଭୂତ କୁ ଘର ଆଗରେ ଥିବା ଆମ୍ବ ଗଛରେ କଣ୍ଟା ପୋତି କିଳି ଦିଆ ଗଲା ଓ ଘର ମାଲିକ ଓ ତାଙ୍କ ପରିବାର କୁ ଏ ଘରୁ ଦୁରେଇ ରହିବା ପାଇଁ କୁହା ଗଲା I ସେଥିପାଇଁ ସେ ଏ ଜାଗା ଛାଡି, ନିଜ ଘର ଛାଡି ଭଡାରେ ରହିବା ପାଇଁ ଦୁରକୁ ଚାଲିଗଲେ I ଆମେ ସେତେବେଳେ ଭୂତ କୁ କିଛି ମାତ୍ର ରେ ଅନୁଭବ କରୁଥିଲୁ I କେବେ କେମିତି ଖଡ଼ ଖଡ଼ ଶବ୍ଦ, ପାଉଁଜି ଶବ୍ଦ, ଆହୁରି ବି କିଛି ଅସ୍ଵାଭାଭିକ ଶବ୍ଦ ସବୁ ଶୁଣିବାକୁ ମିଳେ I ସେଥିପାଇଁ ଆମେ ସନ୍ଧ୍ୟା ହେଲେ ଘରୁ ପଦା କୁ ବାହାରୁ ନାହିଁ I ଭୂତ କିଳା (ବନ୍ଦୀ) ହେବା ପରଠୁ ଟିକେ ଶାନ୍ତି ରେ ଥିଲୁ I ଏବେ କିନ୍ତୁ ପୁଣି ସେମିତି କିଛି ଶବ୍ଦ ଆମେ ଶୁଣୁଛୁ I ରାତିରେ ପାଉଁଜି ଓ ବେଳେ ବେଳେ ଗୀତ ବି ଶୁଭେ I
************
ଏତିକି ଯଥେଷ୍ଟ ଥିଲା ମେସ ପିଲାଙ୍କ ମନ ଭିତରେ ଭୟ ସଂଚାର କରିବା ପାଇଁ I ସେଦିନୁ ମେସ ର ସବୁ ପିଲା ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସନ୍ତି ଓ ସମସ୍ତେ ଏକାଠି ରହିବା ପାଇଁ ଚେଷ୍ଟା କରନ୍ତି I ଏପରିକି ଟଏଲେଟ ଗଲେ ବି ଦି, ତିନି ଜଣ ପାଖରେ ଠିଆ ହୋଇ ରହନ୍ତି I 

ସେଦିନ ଗୋଟେ ପିଲା ଏକା ଟଏଲେଟ ଯାଇଥିଲା I ହଠାତ ତା ମୁଣ୍ଡ ଉପରେ ଏକା ବାଇଗଣ ଆସି ପଡିଲା .... 

କବାଟ ବନ୍ଦ, skylight କଣା ଏତେ ଛୋଟ ଯେ ସେପଟେ ବାଇଗଣ ଗୋଟେ ଆସି ପାରିବ ନାହିଁ I ତେବେ ବାଇଗଣ ଆସିଲା କେଉଁଠୁ? ସେ ହାଉଳି ଖାଇ ବାହାରକୁ ଦୌଡ଼ି ଆସି ସମସ୍ତଙ୍କୁ ଏକଥା ଜଣେଇଲା I ସମସ୍ତେ ଯାଇ ରୋଷେଇ ଘରେ ଦେଖିଲେ, ରୋଷେଇ ଘରେ ପରିବା ହିଁ କିଛି ନଥିଲା I ଦୁଇ ଦିନ ପୂର୍ବରୁ କିଛି ମାର୍କେଟିଙ୍ଗ ହୋଇ ନଥିଲା ଓ ଖାଲି ଆଳୁ ରେ ଯାହା ତରକାରୀ ହୋଇ ପାରିବ ସେ ଗୁଡିକ ରନ୍ଧା ଯାଉଥିଲା I ଯେମିତିକି ଆଳୁ ସୋୟାବିନ, ଆଳୁ ମଟର, ଆଳୁ ଭର୍ତ୍ତା I ତେବେ ବାଇଗଣ?? ପରଦିନ ସକାଳୁ ଏ ଖବର ଟି ପଡୋଶୀଙ୍କ କାନରେ ପଡିଲା ପରେ ଜଣା ପଡିଲା ଯେ ତାଙ୍କର କାଲି ୫୦୦ ଗ୍ରାମ ବାଇଗଣ ଆଣିଥିଲେ ମାତ୍ର ୫ ଟି I

ହେଲେ ସକାଳକୁ ଚାରୋଟି ବାଇଗଣ ଡାଲା ରେ ଥିଲା .....

      ଭୂତ ର ପ୍ରକାପ ଓ ଡର ଆସ୍ତେ ଆସ୍ତେ ବଢିବାକୁ ଲାଗିଲା I କିଛି ମେସ ପିଲା ରାଗରେ ମାଲିକ ଘରେ ପହଞ୍ଚି ପ୍ରଥମରୁ ଏ ସବୁ ନ ଜଣେଇଥିବାରୁ ତାକୁ ଗାଳି କରି ଆସିଲେ I ମାଲିକ ବି ଯୋଡ଼ ହସ୍ତ ରେ,"ତମେ ମାନେ କିଛି ବ୍ୟବସ୍ଥା କର, ମୁଁ ସବୁ ପଇସା ଦେବାକୁ ରାଜି ଅଛି" କହି ମାହୋଲ କୁ ଟିକେ ହାଲୁକା କରିବାକୁ ଚେଷ୍ଟା କଲେ I ପିଲା ମାନେ ମାଲିକ ଠୁ ସେ ବାବାଙ୍କ ଠିକଣା ଆଣି ସେଠାକୁ ଗଲେ I କିନ୍ତୁ ବାବା ସେଠି ନଥିଲେ I ସେ ତୀର୍ଥ କରିବାକୁ ଅନ୍ୟ ଜାଗାକୁ ଚାଲିଯାଇଥିଲେ I ଏବେ ଅନ୍ୟ ମାନଙ୍କ କୁହା ବୋଲା ରେ ଆଉ ଜଣେ ଜାଣିବା ଶୁଣିବା ଲୋକ ପାଖକୁ ଯାଇ,ଏ ସମସ୍ୟା ରୁ ମୁକ୍ତି ଦେବାପାଇଁ ଅନୁରୋଧ କଲେ I 

        ଏ ଭିତରେ ବଣ୍ଟି କିନ୍ତୁ ଭୂତ କୁ ଡରୁ ନଥିଲା I ପିଲା ଦିନରୁ ଏ ସବୁ ଶୁଣି ଶୁଣି ତା ଦେହ ସୁହା ହୋଇ ଯାଇଥିଲା I ଆହୁରି ବି ତା ପାଖରେ ମାମୁଁ ଦେଇ ଥିବା ଡେଉଁରିଆ ବି ଥିଲା I ପିଲା ମାନେ ଡରରେ ସନ୍ଧ୍ୟା ପରେ ବାହାରକୁ ବାହାରୁ ନଥିବା ବେଳେ ସେ, ଅନ୍ୟ ମେସ ଓ ସାଙ୍ଗ ମାନଙ୍କ ସହ ଖଟି କରି ମେସ କୁ ଫେରୁଥିଲା ରାତି ଦଶଟା ପରେ I ପଚାରିଲେ କହୁଥିଲା, "ମୁଁ ତ କାଇଁ ଦେଖିନି, ଭୂତ ମୋତେ ଆଗ ଦେଖା ଦେଉ" I ଆହୁରି ବି ମାଆ ଙ୍କ ଠୁ ସେ ଶୁଣିଥିଲା ଯେ ତା ଜାତକ ରେ ଭୂତ ଦେଖିବା ନାହିଁ I ଭୂତ ମାନେ କେବେ ବି ତାକୁ ଦେଖା ଦେବେ ନି I ତେଣୁ ସେ ନିଶ୍ଚିନ୍ତ ରେ ବୁଲୁଥିଲା ଆଉ ଅନ୍ଧାର ରାତିରେ ନିଛାଟିଆ, ଶୂନଶାନ, ବର ଓ ଆମ୍ବ ଡାଳ କଟ କଟ ହେଉଥିବା ରାସ୍ତା ରେ ରାତିରେ ଏକା ଆସିଲା ବେଳେ ଭୂତ କୁ ଡାକି ଡାକି ଆସେ, "ଆ, ଆ, ଭୂତ ଆ, ମୋତେ ଟିକେ ଦେଖା ଦେ.. ପୁଳେ ଟଙ୍କା ଦେ.." ଗୀତ ଟିକୁ ଅପଭ୍ରଂଶ କରି ଗାଇ ଗାଇ, ମଜା ନେଇ ନେଇ ରୁମ କୁ ଆସେ I

ଦୁଇ ଦିନ ପରେ ସେ ଲୋକ ଜଣଙ୍କ (ଯିଏକି ଜଣେ ଜ୍ୟୋତିଷ ଓ ଭୂତପ୍ରେତ କୁ ଘଉଡେଇବା କାମ କରନ୍ତି), ସେ ଦିନ ବେଳେ ଆସି ମେସ ରେ ପହଁଚିଲେ I ମେସ ର ପୁରା ଘର ଟି ବୁଲି ସାରିବା ପରେ ଆଖି ବନ୍ଦ କରି କହିଲେ, ପ୍ରଥମେ ଏଠାରେ ଥିବା ଗଣେଶ ମୂର୍ତି କୁ ବିସର୍ଜନ କର I ଏବେ ହିଁ I କହିବା ବାହୁଲ୍ୟ ଗଣେଶ ପୂଜା ସରିବା ପରେ ଗଣେଶ ମୂର୍ତି ଟି ଏବେ ଯାଏ ବି ବିସର୍ଜନ ହୋଇ ନଥିଲା I ଦୁଇ ଜଣ ପିଲା ଗଣେଶ ମୂର୍ତି ଟିକୁ ଉଠେଇବାକୁ ଚେଷ୍ଟା କଲେ କିନ୍ତୁ ବିଫଳ ହେଲେ I ମୂର୍ତି ଟି ଆଣିଲା ବେଳେ ଦୁଇ ଜଣ ଆଣିଥିଲେ କିନ୍ତୁ ବିସର୍ଜନ ପାଇଁ ନେଲା ବେଳେ ଚାରି ଜଣଙ୍କୁ ମଧ୍ୟ କଷ୍ଟ ହେଲା ଓ ସେମାନେ ଜଲଦି ଜଲଦି ରେ ମୂର୍ତି ଟି ବିସର୍ଜନ କରି ଫେରି ଆସିଲେ I ଏବେ ଜ୍ୟୋତିଷ ଜଣଙ୍କ ସେ ଭୂତ ର ଗତିବିଧି ବର୍ଣନା କଲେ, "ଭୂତ ଏବେ ବି ଆମ୍ବ ଗଛରେ ରହୁଛି  I ସେ ଜଣେ ଝିଅ ର ଶରୀର ଖୋଜୁଛି I ସବୁଦିନ ରାତି ଗୋଟାଏ ପରେ ଗଛ ରୁ ଓ଼ଲ୍ଳେହି ପ୍ରଥମ ରୁମ ରେ ପଶୁଛି, ଝରକା ପଟେ ପୁଣି ବାହାରକୁ ଯାଇ ଆରଘରକୁ ଯିବାକୁ ଚେଷ୍ଟା କରୁଛି, କିନ୍ତୁ କୌଣସି ଏକ ଜିନିଷ ର ପ୍ରଭାବରେ ସେ ରୁମ କୁ ପଶି ପାରୁ ନାହିଁ I ପୁଣି ପ୍ରଥମ ରୁମ କୁ ଝରକା ପଟେ ଆସି ଡାଇନିଂ ଦେଇ ଆର ରୁମ କୁ ଯାଉଛି ଓ ପୁରା ଘର ଚାରିପଟେ ବୁଲି ସାରି କୌଣସି ଝିଅ କୁ ନ ପାଇ ପୁଣି ଆର ଦିନ କୁ ଅପେକ୍ଷା କରୁଛି" I ଏତିକି ବେଳେ ବଣ୍ଟି ବାହାରୁ ଘରକୁ ପ୍ରବେଶ କଲା I ତାକୁ ଦେଖି ଜ୍ୟୋତିଷ ଜଣଙ୍କ କହିଲେ, ସାର୍ଟ ଭିତରେ ତମେ କ'ଣ ପିନ୍ଧିଛ ?

: କିଛି ନାହିଁ I 
: ତମ ପାଖରେ ଗୋଟେ ଡେଉଁରିଆ ଅଛି?         
: ହଁ, କିନ୍ତୁ... 
: (ତାକୁ କହିବାକୁ ନ ଦେଇ) ଏଇଟା ଜଣେ କାଳୀ (ମା କାଳୀ ଙ୍କ) ସାଧକ ତୁମକୁ ଦେଇଛନ୍ତି ?
: ହଁ, 
: (ବଣ୍ଟି ରହୁଥିବା ରୁମ ଆଡକୁ ଆଙ୍ଗୁଳି ନିର୍ଦେଶ କରି) ତମେ ଏଇ ରୁମ ରେ ରୁହ ? 
: ହଁ, କିଛି ହେଇଛି କି? 
: ଓଃ.. ତେବେ ଏଇଥି ପାଇଁ ସେ ଏପଟେ ଆସି ପାରୁନି ...

      ତେବେ ତୁମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ I ଆଗାମୀ ଦୁଇ ଦିନ ପରେ ଗାଁ ପୂଜା I ମା କାଳୀ ଙ୍କ ଯାତ୍ରା ଏଇଠି ପାଖରେ ହେବ I ତୁମ ମାନଙ୍କ ଭିତରୁ କେହି ଜଣେ, ସେ ଗାଁ ଭ୍ରମଣ କଲା ବେଳକୁ ତାଙ୍କୁ ବାଟ ଜଗି ବସିବ I ସେ ପଚାରିଲା ପରେ ସବୁ କହିବ I ତା ପରେ ସେ (ଯାହାଙ୍କ ଦେହରେ ଠାକୁରାଣୀ ଆସନ୍ତି) ଯାହା ଦେବେ ତାକୁ ଏକ ହଳଦିଆ ଓ ନାଲି କନା ରେ ଗୁଡେଇ ଘର ର ଦୁଆର ବନ୍ଧ ଓ ପଛ କବାଟ ପାଖରେ ବାନ୍ଧିବ I ତା ପରଦିନ ପୂଜା ପାଇଁ ଏହି ସବୁ ଜିନିଷ ଯୋଗାଡ କରି ଆଣ କହି ସେ ଏକ ଲିଷ୍ଟ ବଢ଼େଇ ଦେଲେ I ପୂଜା ହେଲା ପରେ ସବୁ ଠିକ ହେଇ ଯିବ I ମୁଁ ଏବେ ଘର ଚାରିପଟେ ଧଳା ସୋରିଷ ଓ ମନ୍ତୁରା ଜଳ ଛିଞ୍ଚି ଦେଇ ଯାଉଛି I ଏବେ ଦି ଦିନ ସେ କିଛି କରିବ ନାହିଁ I ଏତିକି କହି ସେ ବ୍ୟାଗ ରେ ଆଣିଥିବା ସୋରିଷ ସହ ମନ୍ତୁରା ପାଣି କୁ ମିଶେଇ ଘର ଚାରି ପାଖରେ ଛିଞ୍ଚିବାକୁ ଲାଗିଲେ I ପରଦିନ ଜ୍ୟୋତିଷଙ୍କ କହିବା ଅନୁସାରେ ଗାଁ ଦେବତୀ ଗଲାବେଳେ ତାଙ୍କଠୁ କିଛି ବିଭୁତି ପାଇ ପିଲାମାନେ ଜ୍ୟୋତିଷ କହିବା ଅନୁସାରେ ନାଲି ଓ ହଳଦିଆ କନା ରେ ତାକୁ ଗୁଡେଇ ଘରର ମୁଖ୍ୟ ଦରଜା ଓ ପଛ ଦରଜା ପାଖରେ ସେସବୁ ବାନ୍ଧିଲେ ଓ ପରଦିନ ପୂଜା ପାଇଁ ସବୁ ସରଞ୍ଜାମ ଯୋଗାଡ କଲେ I

      ସେଦିନ ପୂଜା ବହୁତ ସମୟ ଧରି କରିବା ପରେ ମେସ ର ସବୁ ପିଲାଙ୍କ ହାତରେ ରକ୍ଷାସୂତ୍ର ବନ୍ଧା ଗଲା I ଜ୍ୟୋତିଷ ଜଣଙ୍କ ସବୁ ପିଲାଙ୍କୁ ଡାକି କହିଲେ, "ଆଜି ଏ ଭୂତର ଏ ଘରେ ଶେଷଦିନ I ସେ ଆଜି ଏ ଘର ଛାଡି ଚାଲିଯିବ I ତେଣୁ ସେ କିଛି ବି ହରକତ କରିପାରେ I ସମସ୍ତେ ସାବଧାନ ଥିବ I କୌଣସି ଘରେ କେହି ଏକା ରହିବ ନାହିଁ I ସେ ତୁମମାନଙ୍କୁ ଡରେଇବା ପାଇଁ ଚେଷ୍ଟା କରିବ I ସନ୍ଧ୍ୟା ସାତଟା ପରେ କବାଟ ଝରକା ସବୁ ବନ୍ଦ କରି ସମସ୍ତେ ଘରଭିତରେ ହିଁ ରହିବ I ଆଉ ଦି ତିନିଜଣ ରାତି ସାରା ଅନିଦ୍ରା ରହିବ I କେତେବେଳେ ବି କିଛି ବି ଅଘଟଣ ଘଟିପାରେ I ଆଜି ରାତି ଟା ବିତିଗଲେ କାଲିଠୁ ସେ ଆଉ ଏ ଘରକୁ ଆସିବନି କିମ୍ବା ତୁମ ମାନଙ୍କୁ ଆଉ ଦେଖା ଦେବନାହିଁ “ କହିସାରି ସେ ନିଜ ଜିନିଷ ପତ୍ର ସହ ଦକ୍ଷିଣା ଧରି ଘରୁ ବାହାରି ଗଲେ I

       ଯାହା ହଉ ଆଉ ଗୋଟେ ଦିନ I ସମସ୍ତେ ଟିକେ ଶାନ୍ତି ରେ ନିଶ୍ୱାସ ମାରିଲେ I ଯେମିତି ସେମିତି କରି ଆଜି ରାତି ଟା କାଟି ଦେଲେ ଗଲା I ସନ୍ଧ୍ୟା ସାତଟା ରୁ ମେସ ର ମୁଖ୍ୟ କବାଟ, ଝରକା ସବୁ ବନ୍ଦ କରି ଦିଆ ଗଲା I ହେଲେ ବଣ୍ଟି କାଇଁ ? ଆଠଟା ପରେ ବଣ୍ଟି ଫେରିଲା ଅନ୍ୟ ଏକ ମେସ ରୁ I ସେ ଯାହା ହଉ ଭଲରେ ଭଲରେ ରାତି ଟି କଟିଗଲା I ଓହୋ....ଶାନ୍ତି ... ଏବେ ଆଉ ଡର ନାହିଁ I

ପରଦିନ ସନ୍ଧ୍ୟା ଆଠଟା ପରେ ସମସ୍ତେ ଗୋଟିଏ ଘରେ ବସି ଏ ବିଷୟରେ ଆଲୋଚନା କରୁଥିବା ବେଳେ ହଠାତ ଗୋଟେ ଖାଲି ଟମାଟୋ ସସ ବୋତଲ ଯେଉଁଟା କବାଡି ବାଲାକୁ ବିକ୍ରି କରିବାକୁ ଘରର ପଛପଟେ ଥିବା ଏକ ଖାଲି ଜାଗାରେ ରଖା ଯାଇଥିଲା, ଉପରୁ ପଡି ତିନି ଚାରି ଥର ଡ୍ରପ ଖାଇ ଗଡି ଗଡି ସେ ଘର ଭିତରେ ପ୍ରବେଶ କଲା.....

ଆଗରୁ କେବେ ଅନୁଭବ କରି ନଥିବା ବଣ୍ଟି ଏ ଘଟଣା ଟି ନିଜ ଆଖିରେ ଦେଖିବା ପରେ ତାକୁ କେମିତି କେମିତି ଲାଗୁଥିଲା I ଆଇମା'ଙ୍କର ଗୋଟିଏ କଥା ତା’ର ଏବେ ମନେ ପଡୁଥିଲା I ଭୂତ ଅଛି, ଠିକ ଯେମିତି ଭଗବାନ ଅଛନ୍ତି I ଆମେ ଭଗବାନଙ୍କୁ ଦେଖି ପାରୁ କି ? ସେମିତି ଭୂତ ମାନଙ୍କୁ ବି ଆମେ ଦେଖି ପାରୁନି I            

କିଛି ସମୟ ଚୁପ ରହି, ସମସ୍ତେ ସମସ୍ତଙ୍କ ମୁହଁକୁ ଦି ଚାରିଥର ଚାହିଁଲା ପରେ ଶୀଘ୍ର ଏ ଘର ଛାଡିବାର ଯୋଜନା ରେ ଏକମତ ହୋଇ ସାରିଥିଲେ .....

---ସମାପ୍ତ ---


ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ - ୯୩୭୬୦୧୨୫୦୦
ଇମେଲ - subal.mohapatra@gmail.com

Friday, 12 January 2018

କବିତା -- ତୁମେ...

ତୁମେ...

ସୁବଳ ମହାପାତ୍ର



ଶୁଣୁଛ!!
ଥରେ ଯେବେ ଦେଖିଦିଏ ତୁମକୁ ,
ଲାଗେ ଯେମିତି ପୃଥିବୀ ସୁନ୍ଦରତମ ସୃଷ୍ଟି କୁ ଦେଖୁଛି,
ଭଗବାନ ଗଢ଼ିଛନ୍ତି କେତେ କାଳେ,
କେବଳ ମୋରି ପାଇଁ  I
ତୁମେ ସୁନ୍ଦର, ଦୁନିଆଁ ସୁନ୍ଦର ,
ସୃଷ୍ଟି ସବୁ ସୁନ୍ଦର,
କିନ୍ତୁ କାହିଁକି କେଜାଣି ଏକ ଉଜାଣି ସୁଅ ଉଠେ ହୃଦୟରେ,
କିଛି ପାଇବାର ପାଇବାର ଦ୍ଵନ୍ଦ କୁ ନେଇ,
ଯେତେବେଳେ ତୁମେ କୁହ "ଭଲପାଅ ବୋଲି",
ଭାବି ମୁଁ ପାରେନି, କଣ ଦେଇଛି ଆଜି ଯାଏ ତୁମକୁ ?
କେବଳ କିଛି ପ୍ରତୀକ୍ଷା, କଷ୍ଟ, ଅଭିମାନ, ରାଗ ରୁଷା ଭରା ଜୀବନ ଛଡା ....   


---- ସମାପ୍ତ ----


ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ - ୯୩୭୬୦୧୨୫୦୦
ଇମେଲ - subal.mohapatra@gmail.com

ଅଧୁରା ପ୍ରେମ...